‘ଜଳ ଜୀବନ ମିଶନ’ ଆପ୍ ଲଞ୍ଚ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜଳ ଜୀବନ ମିଶନ’ ଆପ୍ ଓ ରାଷ୍ଟ୍ରୀୟ ଜଳ ଜୀବନ କୋଷର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫ୍ରେନ୍ସିଂ ଜରିଆରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋଦୀ ଜଳ ଜୀବନ ମିଶନ ସମ୍ବନ୍ଧରେ ଗ୍ରାମ ପଞ୍ଚାୟତ, ପାଣି ସମିତି ଓ ସ୍ୱଚ୍ଛତା ସମିତି ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରୀୟ ଜଳ ଜୀବନ କୋଷ ମାଧ୍ୟମରେ ଅନେକ ବ୍ୟକ୍ତି, ସଂସ୍ଥା, କମ୍ପାନୀ ଅଥବା ସମାଜସେବୀ ପ୍ରତ୍ୟେକ ଗ୍ରାମୀଣ ପରିବାର, ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଆଶ୍ରମ ଶାଳା ଓ ସାର୍ବଜନିକ ସଂସ୍ଥାରେ ନଳ-ଜଳ କନେକ୍ସନ ପ୍ରଦାନ କରିବାରେ ଯୋଗଦାନ କରିପାରିବେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପୂଜ୍ୟ ବାପୁ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୀଙ୍କ ହୃଦୟରେ ଗାଁ ବସୁଥିଲା। ଆଜିର ଦିନରେ ସମଗ୍ର ଦେଶର ଲକ୍ଷାଧିକ ଗ୍ରାମବାସୀ ଗ୍ରାମ ସଭା ଜରିଆରେ ଜଳ ଜୀବନ ସମ୍ବନ୍ଧରେ ଶୁଣୁଛନ୍ତି। ଜଳ ଜୀବନ ମିଶନର ଉଦ୍ଦେଶ୍ୟ କେବଳ ଲୋକଙ୍କୁ ପାଣି ପହଂଚାଇବା ନୁହେଁ ବରଂ ବିକେନ୍ଦ୍ରୀକରଣର ବଡ଼ ଆନ୍ଦୋଳନ।