ଜେଲରୁ ଖସିଗଲେ ମଲାଲାଙ୍କୁ ଗୁଳି କରିଥିବା ଆତଙ୍କୀ

ଇସ୍ଲାମାବାଦ: ପାକ୍ ତାଲିବାନ ସଂଗଠନର ପୂର୍ବତନ ମୁଖପାତ୍ର ଏହସାନୁଲ୍ଲାହ ଏହସାନ୍ ଜେଲରୁ ଖସି ପଳାଇଛନ୍ତି। ଅଭିଯୁକ୍ତ ଏହସାନ ୨୦୧୨ରେ ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇଙ୍କ ଉପରକୁ ଗୁଳି ଚାଳନା ଓ ୨୦୧୪ରେ ପେଶାୱର ଆର୍ମି ସ୍କୁଲ ଉପରେ ଆତଙ୍କୀ ଆକ୍ରମଣ କରିଥିବା ଘଟଣାରେ ଅଭିଯୁକ୍ତ ଥିଲେ। ଗୁରୁବାର ସୋସିଆଲ ମିଡିଆରେ ପ୍ରସାରିତ ଅଡିଓ କ୍ଲିପ୍ ଜରିଆରେ ସେ ଜେଲରୁ ଖସି ପଳାୟନ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଉକ୍ତ ଅଡିଓ କ୍ଲିପରେ ଏହସାନ୍ କହିଛନ୍ତି ଯେ ୨୦୧୭ରେ ସେ ଆତ୍ମସମର୍ପଣ କରିବା ସମୟରେ ପାକ୍ ସରକାର ତାଙ୍କୁ ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ, ତାହା ଅଦ୍ୟାବଧି ପାଳନ କରି ନଥିବାରୁ ସେ ଜାନୁଆରୀ ୧୧ରେ ଜେଲରୁ ଖସି ପଳାୟନ କରିଛନ୍ତି।

ଈଶ୍ୱରଙ୍କ ଦୟାରୁ ସେ କଡ଼ା ସୁରକ୍ଷା ବଳୟରେ ଥିଲେ ମଧ୍ୟ ଖସି ପଳାଇବାକୁ ସଫଳ ହୋଇଛନ୍ତି ବୋଲି ଅଡିଓ କ୍ଲିପ୍ରେ କହିଛନ୍ତି। ସୋସିଆଲ୍ ମିଡିଆରେ ବୁଲୁଥିବା ଅଡିଓ କ୍ଲିପ୍ ସତ ହୋଇଥିଲେ, କୁଖ୍ୟାତ ତାଲିବାନ୍ ଆତଙ୍କୀ ସଂଗଠନକୁ ମୂଳପୋଛ କରିବା ପାଇଁ ପାକ୍ ସରକାର କରିଥିବା ବଜ୍ର ଶପଥର ବାସ୍ତବିକତା ଧରାପଡ଼ିଛି। ଏହସାନ୍ ଏବେ କୋଉଠି ଅଛି, ସେ ସମ୍ପର୍କରେ କିଛି କହିନାହାନ୍ତି। କିନ୍ତୁ ଖୁବ୍ ଶୀଘ୍ର ଭବିଷ୍ୟତ ଯୋଜନା ସମ୍ପର୍କରେ ଜଣାଇବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଏପରିକି ସେ କେଉଁ ଉପାୟରେ ଜେଲରୁ ଖସିଗଲେ, ସେ ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୨ରେ ସର୍ବକନିଷ୍ଠ ନୋବେଲ ବିଜୟିନୀ ମଲାଲା ୟୁସୁଫଜାଇ ପାକିସ୍ତାନର ସ୍ୱାତ ଉପତ୍ୟକାରେ ମହିଳାଙ୍କୁ ଶିକ୍ଷା ସଚେତନତା ଅଭିଯାନ ଚଳାଇଥିବା ବେଳେ ଆତଙ୍କୀ ଏହସାନ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ୨୦୧୪ ଡିସେମ୍ବର ୧୬ରେ ଏହସାନଙ୍କ ସମେତ ୮-୧୦ ଆତ୍ମଘାତୀ ବୋମାଧାରୀ ଅର୍ଦ୍ଧସାମରିକ ପୋଷାକ ପରିଧାନ କରି ପାକିସ୍ତାନର ସେନା ପବ୍ଲିକ ସ୍କୁଲରେ ପ୍ରବେଶ କରି ଗୋଟିଏ ପରେ ଗୋଟିଏ ଶ୍ରେଣୀକକ୍ଷରେ ପଶି ନିରୀହ ପିଲାଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ଫଳରେ ୧୩୨ ପିଲାଙ୍କ ସମେତ ୧୪୯ ଜଣ ପ୍ରାଣ ହରାଇଥିଲେ।

ଅଭିଯୁକ୍ତ ଏହସାନ୍ ୨୦୧୭ ଫେବୃଆରୀ ୫ରେ ପାକ୍ ସୁରକ୍ଷାବାହିନୀ ନିକଟରେ ସର୍ତ୍ତ ଭିତ୍ତିରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ସମୟରେ କରିଥିବା ରାଜିନାମା ମୁତାବକ ସେ ଜେଲରେ ୩ ବର୍ଷ ଅପେକ୍ଷା କଲେ। ପାକ୍ ସୁରକ୍ଷାବାହିନୀ ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବାରୁ ସେ ଜେଲରୁ ଖସି ପଳାଇଛନ୍ତି। ପାକ୍ ସୁରକ୍ଷାବାହିନୀ କି ସରକାର ଉକ୍ତ ଅଡିଓ କ୍ଲିପକୁ ଯାଞ୍ଚ କରିଥିବା ଜଣାପଡ଼ିନି।