ବଲିଉଡ଼ର ହାସ୍ୟ ଅଭିନେତା ଜଗଦୀପଙ୍କ ପରଲୋକ

ମୁମ୍ବାଇ,ଏଜେନ୍ସି: ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ଜଗଦୀପଙ୍କର ବୁଧବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ପ୍ରକୃତ ନାମ ହେଉଛି ସୟଦ ଇସ୍ତିୟାକ ଅହମ୍ମଦ ଜାଫରୀ। ସେ ହିନ୍ଦୀ ସିନେମାରେ ଏଣ୍ଟ୍ରି କରିବା ପରେ କେବଳ ଜଗଦୀପ ନାମ ରଖିଥିଲେ। ‘ଶୋଲେ’ ଚଳଚ୍ଚିତ୍ରର ‘ସୁରମା ଭୋପାଲୀ’ ନାମରେ ଘରେ ଘରେ ପରିଚିତ ହୋଇପାରିଥିଲେ। ସେ ତାଙ୍କ ଜୀବନ କାଳରେ ୪୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଶମୀ କପୁରଙ୍କ ‘ବ୍ରହ୍ମଚାରୀ’ ଚଳଚ୍ଚିତ୍ରରୁ ତାଙ୍କର ହାସ୍ୟ କଳାକାର ହେବାର ଯାତ୍ରା ଆରମ୍ଭ ହୋଇଥିଲା। ‘ଅନ୍ଦାଜ ଆପନା ଆପନା’ ଚଳଚ୍ଚିତ୍ରରେ ସେ ସଲମାନ ଖାନଙ୍କ ପିତା ଚରିତ୍ରରେ ଅଭିନୟ କରିଥିଲେ। ୨୦୧୨ରେ ଅକ୍ଷୟ ଖାନ୍ନାଙ୍କ ସହ ‘ଗଲି ଗଲି ଚୋର ହୈ’ ଫିଲ୍ମରେ ମଧ୍ୟ ନଜରକୁ ଆସିଥିଲେ।