ଜଗନ୍ନାଥ ନିଜେ ନିଜକୁ ସୁରକ୍ଷା ଦେଉଛନ୍ତି: ଅପରାଜିତା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସ୍‌ଆଇର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ। ଯଦି ଆସନ୍ତାକାଲି ନିର୍ମାଣ ବେଆଇନ୍ ଘୋଷଣା ହୁଏ, ତେବେ ଏଥିପାଇଁ କିଏ ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିବା ସହ ଏବେ ମହାପ୍ରଭୁ ନିଜେ ନିଜର ସୁରକ୍ଷା ପାଇଁ ଆଗେଇ ଆସିଥିବା କହିଛନ୍ତି ଅପରାଜିତା।

ସେ ସିରିଜ୍ ଟ୍ୱିଟ୍‌କରି ଲେଖିଛନ୍ତି, ହାଇକୋର୍ଟରେ ଏଏସ୍‌ଆଇ ସତ୍ୟପାଠ ଦାଖଲ କରିବା ପରେ, ମୁଁ ନିଶ୍ଚିତ ଯେ ପ୍ରଭୁ ଜଗନ୍ନାଥ ନିଜକୁ ଏବଂ ତାଙ୍କ ମନ୍ଦିରକୁ ଏକ ନିର୍ବାଚିତ ରାଜ୍ୟ ସରକାରଙ୍କଠାରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଯିଏ କି ସବୁ ନିୟମକୁ ଜଳାଞ୍ଜଳି ଦେଇଛନ୍ତି। ଜୋର୍ ଜବରଦସ୍ତ ଭିତ୍ତିଭୂମି ନିର୍ମାଣ ପାଇଁ ଜନସାଧାରଣଙ୍କର କଷ୍ଟ ଉପାର୍ଜିତ ବହୁ ଅର୍ଥ ଖର୍ଚ୍ଚ ହେଉଛି। ଏସବୁ ନିର୍ମାଣ ଅତି ସହଜରେ ୧୦୦ ମିଟର ପରିଧି ବାହାରେ ହୋଇପାରିଥାନ୍ତା। ଆସନ୍ତାକାଲି ଯଦି ଏହି ଢାଞ୍ଚାଗୁଡ଼ିକୁ ବେଆଇନ୍ ଘୋଷିତ କରାଯାଏ ତେବେ ଓଡ଼ିଆ ଲୋକଙ୍କ କଷ୍ଟ ଉପାର୍ଜିତ ଶହ ଶହ କୋଟି ଟଙ୍କାର ଅପଚୟ ପାଇଁ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି।