କାଲି ବହୁଡିବେ ଜଗା ବଳିଆ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଶିଶୁ ଜଗା ବଳିଆ ଆସନ୍ତାକାଲି ଦିଲ୍ଲୀରୁ ଓଡିଶାର ଏସସିବିକୁ ଫେରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଏ ନେଇ ଏସସିବିର ଦୁଇଜଣିଆ ଡାକ୍ତରୀ ଟିମ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀ ଏମ୍ସରେ କର୍ତ୍ତୁପକ୍ଷଙ୍କ ସହ ଡାକ୍ତର ଡି.ପି. ନାୟକ ଓ ଡାକ୍ତର ଏସ୍ଏସ୍ ବରିହାଙ୍କ ଆଲୋଚନା ଜାରି ରହିଛି ।
କାଲି ଦିନ ୧୨ଟାରେ ଏମ୍ସର ପ୍ରେସମିଟ ହେବା ପରେ ସନ୍ଧ୍ୟାରେ ସେମାନେ ଦିଲ୍ଲୀରୁ ଓଡ଼ିଶା ବାହାରିବେ। ଜଗା ବଳିଆଙ୍କ ସହିତ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଏବଂ ଓଡ଼ିଶା ଭବନ କର୍ମଚାରୀ ସାଙ୍ଗରେ ଆସିବେ। ପରେ ସେମାନଙ୍କୁ କଟକ ଏସ୍‌ସିବି ମେଡ଼ିକାଲକୁ ନିଆଯିବ।

ଅନ୍ୟପକ୍ଷରେ ଏସସିବିରେ ଜଗା ବଳିଆଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦୁଇ ଶିଶୁଙ୍କୁ ଏସସିବିର ସର୍ଜରି ବିଭାଗର ୧ନଂ କ୍ୟାବିନ୍‌ରେ ରଖାଯିବ। ଦୁଇ ଭାଇଙ୍କ ଚିକିତ୍ସା ପାଇଁ ପୂର୍ବରୁ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି। ଉକ୍ତ ଡାକ୍ତରୀ ଟିମ୍‌ ଦୁଇ ଜଣଙ୍କ ଉପରେ ୨୪ଘଣ୍ଟା ନଜର ରଖିବେ।

ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୭ ଜୁଲାଇ ୧୪ରେ କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୨୦୧୭ ଅକ୍ଟୋବର ୨୫ ଓ ୨୬ ଦୁଇ ଦିନ ଧରି ଅସ୍ତ୍ରୋପଚାର କରି ସଫଳତାର ସହ ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ସେଠାରେ ସୁସ୍ଥ ହେବା ପରେ ସେମାନେ ଓଡ଼ିଶା ଆସିପାରିବେ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଥିଲେ। ତେବେ ଦୁଇ ଶିଶୁ କେଉଁଠି ରହିବେ ସେ ନେଇ ବିଚାର କରାଯାଇଥିଲା। ଭୁବନେଶ୍ୱର ଏମ୍ସରେ ରଖିବା ପାଇଁ ମନା କରିଦେବା ପରେ ଏସସିବିରେ ରଖିବାକୁ ସ୍ଥିର ହୋଇଥିଲା।