ନୂଆଦିଲ୍ଲୀ,ଏଜେନ୍ସି : ଦେଶର ଅଧିକାଂଶ ବୈଦ୍ୟୁତିକ ଗଣମାଧ୍ୟମ ଟିଆରପି ପଛରେ ମାତିଥିବାରୁ ସେଗୁଡ଼ିକର ନିୟନ୍ତ୍ରଣ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। ତେବେ ଯେକୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସ୍ ସ୍ୱାଧୀନତାକୁ ନିୟନ୍ତ୍ରଣ କରିବାର ପରିଣତି ଭୟଙ୍କର ହେବ ବୋଲି କେନ୍ଦ୍ର ସରକାର ଖଣ୍ଡପୀଠକୁ ଜଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ମତରେ ଇଣ୍ଟରନେଟକୁ ନିୟନ୍ତ୍ରଣ କରିବା କଷ୍ଟକର ବ୍ୟାପାର, ମାତ୍ର ବୈଦ୍ୟୁତିକ ଗଣମାଧ୍ୟମକୁ କିଛିମାତ୍ରାରେ ନିୟନ୍ତ୍ରଣ କରିବାରେ କିଛି ଅସୁବିଧା ହେବନାହିଁ। ସୁଦର୍ଶନ ଟିଭିର ‘ବିନ୍ଦାସ ବୋଲ’ କାର୍ଯ୍ୟକ୍ରମରେ ସରକାରୀ ଚାକିରୀରେ ମୁସଲିମଙ୍କ ନିଯୁକ୍ତି ପ୍ରସଙ୍ଗ ବିରୋଧରେ ଆଗତ ଏକ ପିଟିସନର ବିଚାର କରି ସୁପ୍ରିମକୋର୍ଟ ବୈଦ୍ୟୁତିକ ଗଣମାଧ୍ୟମର ଏପରି କାର୍ଯ୍ୟକ୍ରମକୁ ନାପସନ୍ଦ କରିଥିଲେ। ସୁପ୍ରିମକୋର୍ଟଙ୍କ ମତରେ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ସମାଜକୁ ଦିଗଦର୍ଶନ ଦେବା ଭଳି କାର୍ଯ୍ୟକ୍ରମ ପ୍ରସାରଣ କରିବା ଉଚିତ। ସମାଜରେ ଘୃଣା, ବିଦ୍ୱେଷ, ପକ୍ଷପାତ ବିଷୟକୁ ବନେଇ ଚୁନେଇ ପ୍ରସାରଣ କରିବା ଫଳରେ ବିବାଦୀୟ ପରିସ୍ଥିତି ଉପୁଜୁଛି।
ସୁପ୍ରିମକୋର୍ଟଙ୍କ ମତାମତ ଶୁଣିବା ପରେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ସାମ୍ବାଦିକଙ୍କ ସ୍ୱାଧୀନତାକୁ ପ୍ରାଥମିକତା ଦିଆଯିବା କଥା କହିଥିଲେ। ଖଣ୍ଡପୀଠର ଅନ୍ୟ ଦୁଇ ସଭ୍ୟ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଓ ଜଷ୍ଟିସ୍ କେଏମ୍ ଜୋଶେଫ ସଲିସିଟର ଜେନେରାଲ୍ ମେହଟ୍ଟାଙ୍କ ଯୁକ୍ତିକୁ ସମ୍ପୂର୍ଣ୍ଣ ଗ୍ରହଣ କରିନଥିଲେ। ମେହଟ୍ଟାଙ୍କ ମତରେ କେତେକ ପ୍ରସଙ୍ଗରେ ବୈଦ୍ୟୁତିକ ଗଣମାଧ୍ୟମ ସରକାର ଓ ଲୋକଙ୍କ ମଧ୍ୟରେ ମଧ୍ୟସ୍ଥିର ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ବୈଦ୍ୟୁତିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ସରକାର ଭାବୁଛନ୍ତି। ସବୁ ଯୁକ୍ତି ଶୁଣିବା ପରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପୁଣି ଥରେ ସୋସିଆଲ୍ ମିଡିଆ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ସାମାନ୍ୟ ଅଙ୍କୁଶ ଲଗାଇବାରେ ଅସୁବିଧା ହେବନି ବୋଲି କହିଛନ୍ତି। ମାତ୍ରାଧିକ ସ୍ୱାଧୀନତା ଦେବା ଆଦୌ ନ୍ୟାୟସଙ୍ଗତ ନୁହେଁ ବୋଲି ଜଷ୍ଟିସ୍ ଜୋଶେଫ କହିଛନ୍ତି। ଆଜିକାଲି ଖବରକାଗଜ ପରିବର୍ତ୍ତେ ଅଧିକାଂଶ ଲୋକ ବୈଦ୍ୟୁତିକ ଗଣମାଧ୍ୟମକୁ ପସନ୍ଦ କରୁଛନ୍ତି ବୋଲି ଖଣ୍ଡପୀଠ ସ୍ୱୀକାର କରିଛନ୍ତି। ତା’ ସହିତ କେତେକ ବୈଦ୍ୟୁତିକ ଗଣମାଧ୍ୟମର ଅପରାଧିକ କାର୍ଯ୍ୟକଳାପ ପ୍ରତି ସନ୍ଦେହ ପ୍ରକାଶ କରିଛନ୍ତି। ସମାଜକୁ ପଥଭ୍ରଷ୍ଟ କରିବା ଦିଗରେ ଗଣମାଧ୍ୟମର ଭୂମିକା ସର୍ବାଧିକ ଥିବାରୁ ତା’ ଉପରେ ସରକାରଙ୍କ ସାମାନ୍ୟ ଅଙ୍କୁଶ ରହିବା ଦରକାର ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।