ରାଜ୍ୟରେ ଆହୁରି ୫ଦିନ ବର୍ଷିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିଂବଳୟ ସୃଷ୍ଟି ହେବା କାରଣରୁ ମଙ୍ଗଳବାରଠାରୁ ପାଗରେ ପରିବର୍ତ୍ତନ ଘଟି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷ କରି ଗଜପତି, ଜଗତସଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିିଛି। ସେହିପରି ବଲାଙ୍ଗିର, ସୋନପୁର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଓ ଘଡ଼ିଘଡ଼ିର ଆଶଙ୍କା ରହିଛି ବୋଲି ପାଣି ପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବୁଧବାର ମଧ୍ୟ କିଛି ସ୍ଥାନରେ ବର୍ଷା ହେବା ସହିତ ଗୁରୁବାରଠାରୁ ବର୍ଷାର ପରିମାଣ କମି ଶୁକ୍ରବାରଠାରୁ ପୁଣି ପାଗ ଶୁଖିଲା ରହିବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ଆର ବିଶ୍ୱାସ କହିଛନ୍ତି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିଂବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟ ଅର୍ଥାତ ସେପ୍ଟେମ୍ବର ୨ ତାରିଖରେ ଏହା ଓଡ଼ିଶା-ଝାଡ଼ଖଣ୍ଡ ଉପରେ ରହିବ। ଫଳରେ ମଙ୍ଗଳବାରଠାରୁ ପାଗରେ ପରିବର୍ତ୍ତନ ଆସିବ। ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଙ୍ଗଳବାର ସ୍ୱଳ୍ପ ବର୍ଷା (୨୫ ମିମି ପର୍ଯ୍ୟନ୍ତ) ହେବ। ବୁଧବାର ଓ ଗୁରୁବାର ଦକ୍ଷିଣ ଉପକୂଳ ଜିଲ୍ଲା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସ୍ୱଳ୍ପ ବର୍ଷା ହୋଇପାରେ। ସେହିପରି ଶୁକ୍ରବାର ବର୍ଷାର ପରିମାଣ କମିବା ସହିତ ସ୍ଥାନେ ସ୍ଥାନେ ହାଲ୍କାରୁ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।