ଟନେଲରେ ଫସିଥିବା ଶ୍ରମିକଙ୍କୁ କାଢ଼ିବାକୁ ଲାଗିବ ଆହୁରି ୨ରୁ ୩ ଦିନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣଧୀନ ଟନେଲରେ ୫ ଦିନ ହେବ ୪୦ ଶ୍ରମିକ ଫସି ରହିଛନ୍ତି । ଭିତରେ ଫସିଥିବା ଶ୍ରମିକଙ୍କୁ ବାହାରକୁ କାଢ଼ିବା ପାଇଁ ଆଜି ‘ଆମେରିକାନ ଅଗାର’ ମେସିନକୁ ଲଗଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ମେସିନ ବୁଧବାର ବିଳମ୍ବିତ ରାତିରେ ଭାରତୀୟ ବାୟୁସେନାର ହରକ୍ୟୁଲିସ ବିମାନ ଯୋଗେ ଦିଲ୍ଲୀରୁ ଉତ୍ତରକାଶୀ ଅଣାଯାଇଥିଲା । ଶ୍ରମିକଙ୍କ ଉଦ୍ଧାର ପାଇଁ ନରୱେ ଓ ଥାଇଲାଣ୍ଡ ରେସ୍କ୍ୟୁ ଟିମଠୁ ମଧ୍ୟ ପରାମର୍ଶ ନିଆଯାଉଛି । ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ବିକେ ସିଂହ ସ୍ଥିତି ପରଖିବା ଲାଗି ସେଠାରେ ପହଞ୍ଚିଥିଲେ । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଆହୁରି ୨ରୁ ୩ ଦିନ ଲାଗିପାରେ ବୋଲି ଶ୍ରୀ ସିଂହ କହିଛନ୍ତି ।

ସୂଚନାଯୋଗ୍ୟ, ୪ ଧାମ ପ୍ରୋଜେକ୍ଟ ଅନ୍ତର୍ଗତ ଏହି ଟନେଲ ବ୍ରହ୍ମଖାଲ ଏବଂ ୟମୁନୋତ୍ରୀ ହାଇୱେର ସିଲ୍କାରା ଓ ଡଣ୍ଡଲଗାଁଓ ମଧ୍ୟରେ ନିର୍ମାଣ କରାଯାଉଛି । ନଭେମ୍ବର ୧୨ରୁ ହଠାତ୍ ଟନେଲର ଏଣ୍ଟ୍ରି ପଏଣ୍ଟରୁ ୨୦୦ ମିଟର ଦୂରତା ପର୍ଯ୍ୟନ୍ତ ମାଟି ଧସି ଯାଇଥିଲା । ଫଳରେ ଶ୍ରମିକମାନେ ବଫର ଜୋନରେ ଫସି ଯାଇଥିଲେ ।