ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦

ଗୌହାଟୀ,ଏଜେନ୍ସି: ଆୟୋଜକ ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ରବିବାର ସ୍ଥାନୀୟ ବାର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ଲାଗି ଉଭୟ ଦଳ ବେଶ ପ୍ରସ୍ତୁତ ହୋଇଛନ୍ତି। ଟିମ୍ ଇଣ୍ଡିଆ ନିକଟରେ ବିଶ୍ୱ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଏବଂ ବାଂଲାଦେଶକୁ ପରାସ୍ତ କରି ଦୃଢ ମନୋବଳ ନେଇ ଖେଳିବାକୁ ଯିବ। ଅନ୍ୟପକ୍ଷରେ ପାକିସ୍ତାନକୁ ପାକିସ୍ତାନ ମାଟିରେ ୩-୦ରେ ହରାଇବା ପରେ ଶ୍ରୀଲଙ୍କାର ଆତ୍ମବିଶ୍ୱାସ ନାହିଁ ନ ଥିବା ବୃଦ୍ଧି ପାଇଛି। ଏହି ଆତ୍ମବିଶ୍ୱାସ ଏବଂ ଚଳିତବର୍ଷ ହେବାକୁ ଯାଉଥିବା ୱାର୍ଲ୍ଡ ଟି-୨୦ ଲାଗି ଟିମ୍ ଗୁଡିକ ପ୍ରସ୍ତୁତି ଚଳାଇଥିବାରୁ ପରୀକ୍ଷା ନୀରିକ୍ଷା କରିବା ସ୍ୱାଭାବିକ୍। ଏହି କ୍ରମରେ ଚଳିତ ସିରିଜଟି ବେଶ୍ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ନିଃସନ୍ଦେହରେ କୁହାଯାଇପାରେ।

ଟିମ୍ ଇଣ୍ଡିଆ ଲାଗି ଦୁଇ ଜଣ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଅଧିକ ନଜର ରହିବ। ସେ ଦୁଇଜଣ ହେଉଛନ୍ତି ଫାଷ୍ଟ ବୋଲର ତଥା ଟିମ୍ର ହୀରା ଭାବେ ବିବେଚିତ ହେଉଥିବା ଯଶପ୍ରୀତ୍ ବୁମରା ଏବଂ ଦ୍ୱିତୀୟ ଜଣଙ୍କ ହେଉଛନ୍ତି ବାମହାତି ଓପନର ଶିଖର ଧୱନ। ବୁମରା ଆହତ ସମସ୍ୟାରୁ ମୁକୁଳିବା ପରେ ଏକାଥରକେ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିବେ। ଏଣୁ ତାଙ୍କ ଉପରେ ନଜର ରହିବା ସ୍ୱାଭାବିକ୍। ସେହିପରି ଫର୍ମରେ ନଥିବା ଧୱନ ନିକଟରେ ରଣଜୀ ଟ୍ରଫିରେ ୧୪୦ ରନ୍ କରି ତାଙ୍କ ଉପସ୍ଥିତିକୁ ଜାହିର କରିବାକୁ ଯାଉଛନ୍ତି। ଏହି ପରିସ୍ଥିତି ମଧ୍ୟରେ ଟିମ୍ ଇଣ୍ଡିଆ ତାହାର ନୂଆ ଖେଳାଳିମାନଙ୍କୁ ମଧ୍ୟ ସୁଯୋଗ ଦେବାକୁ ଚେଷ୍ଟା କରିବ। ବୁମରାଙ୍କ ସହ ନଭଦୀପ ସୈନି ଓ ଶାର୍ଦ୍ଦୁଳ ଠାକୁର ପେସ ବୋଲିଂ ଭାର ସମ୍ଭାଳିବେ। ଭିନ୍ନ ଭିନ୍ନ କାରଣରୁ ଭୁବନେଶ୍ୱର କୁମାର, ମହମ୍ମଦ୍ ସାମି ଓ ଦୀପକ ଚହର ଟିମ୍ରେ ନାହାନ୍ତି। ୱାଶିଂଟନ ସୁନ୍ଦର ଓ ଶିଭମ ଦୁବେଙ୍କ ଅଲରାଉଣ୍ଡର ଭାବେ ଗଢିବାକୁ ଉଦ୍ୟମ କରାଯାଉଛି। ‘କୁଲଚା’ ଯୋଡିଭାବେ ଖ୍ୟାତି ଅର୍ଜନ କରିଥିବା କୁଲଦୀପ ଚହଲ ଏବଂ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ଖେଳିବେ। ଅଭ୍ୟାସ ବେଳେ ବିରାଟ କୋହଲିଙ୍କ ହାତରେ ବଲ ବାଜିବାରୁ ଯନ୍ତ୍ରଣା ଅନୁଭବ କରିଥିଲେ। କିନ୍ତୁ ସେ ଫିଟ୍ ଥିବା ଜଣାଯାଇଛି।

ଅନ୍ୟପକ୍ଷରେ ଲାସିଥ୍ ମାଲିଙ୍ଗାଙ୍କ ନେତୃତ୍ୱରେ ଗଠିତ ଶ୍ରୀଲଙ୍କା ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳି ରହିଛନ୍ତି। ଦଳର ବ୍ୟାଟିଂ ମୁଖ୍ୟତଃ କୁଶାଲ ପରେରାଙ୍କ ଉପରେ ନିର୍ଭର କରୁଛି। ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଦଳରେ ରହିଥିଲାବେଳେ ଯୁବ ଖେଳାଳିମାନେ ମୁଖ୍ୟ ଭୂମିକା ନେବେ। ଏହି ଦଳ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କର କିପରି ମୁକାବିଲା କରିବ ତାହା ଦେଖିବାକୁ ବାକି ରହିଛି।