ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ ପାଇଁ ଇସ୍ରୋ ସହ ହାତ ମିଳାଇଲା ‘ନାସା’

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ରେ ଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ପହଞ୍ôଚଥିଲେ ମଧ୍ୟ ଏଥି ସହ ଏ ପର୍ଯ୍ୟନ୍ତ ଯୋଗାଯୋଗ ସମ୍ଭବ ହୋଇ ନାହିଁ। ବିକ୍ରମ ସହ ସମ୍ପର୍କ ସ୍ଥାପନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଉଦ୍ୟମ ଜାରି ରହିଛି। ଇତିମଧ୍ୟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏଥିରେ ସହଯୋଗ କରିବାକୁ ଆଗେଇ ଆସିଛି। ‘ନାସା’ର ଜେଟ୍ ପ୍ରପୁଲସନ୍ ଲାବୋରେଟୋରି (ଜେପିଏଲ୍) ମାଧ୍ୟମରେ ନିଜର ଡିପ୍ ସ୍ପେସ୍ ନେଟୱର୍କ (ଗଭୀର ଅନ୍ତରୀକ୍ଷ ନେଟୱର୍କ) ସାହାଯ୍ୟରେ ବିକ୍ରମ ସହ ଯୋଗାଯୋଗ ସ୍ଥାପନ କରିବାକୁ ପ୍ରୟାସ ଆରମ୍ଭ କରିଛି।

ଏହି ନେଟୱାର୍କ ବ୍ୟବହାର କରି ଲ୍ୟାଣ୍ଡର ‘ବିକ୍ରମ’କୁ ହାଇ ଫ୍ରିକୁଏନ୍ସି ରେଡିଓ ଓ ଲେଜର୍ ସିଗନାଲ୍ ପଠାଇ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ ଚଳାଇଛି। ଏହି ପରିପ୍ରେକ୍ଷୀରେ ନାସାର ଜଣେ ମୁଖପାତ୍ରଙ୍କ ମତକୁ ଉଦ୍ଧାର କରି ନ୍ୟୁୟର୍କ ଟାଇମ୍ସ ସମ୍ବାଦପତ୍ର ପ୍ରକାଶ କରିଛି, ଇସ୍ରୋ ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନ ଉପରେ ବିଶ୍ଳେଷଣ କରୁଛି, ସେଠାରେ ଲ୍ୟାଣ୍ଡର ପହଞ୍ଚିବା ପୂର୍ବର ଏବଂ ପରର ଫଟୋ ସେୟାର କରିବାକୁ ‘ନାସା’ ପ୍ରସ୍ତୁତ ଅଛି। ସେପ୍ଟେମ୍ବର ୧୭ରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଯେଉଁସ୍ଥାନରେ ମିଳିବ ବୋଲି ଅନୁମାନ କରାଯାଉଛି, ‘ନାସା’ର ଲୁନାର ଅର୍ବିଟର ତା’ ଉପରଦେଇ ଅତିକ୍ରମ କରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୭ ଭୋର ସମୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଠାରୁ ୨.୧ କି.ମି. ଦୂରରେ ଥିଲାବେଳେ ଏଥିସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ମାତ୍ର ପରଦିନ ଚନ୍ଦ୍ରଯାନ-୨ର ଅର୍ବିଟର ଲ୍ୟାଣ୍ଡର ‘ବିକ୍ରମ’କୁ ଠାବ କରିଥିଲା। ଅର୍ବିଟରର ଥର୍ମାଲ ଇମେଜରୁ ଏହା ଜଣା ପଡ଼ିଥିଲା। ସେବେଠାରୁ ବିକ୍ରମ ସହ ଯୋଗାଯୋଗ ସମ୍ଭବ ହେଉନାହିଁ। ଲ୍ୟାଣ୍ଡରର ଆୟୁଷ ସରି ଆସୁଥିଲେ ମଧ୍ୟ ଇସ୍ରୋ ଏଥିସହ ସମ୍ପର୍କ ସ୍ଥାପନ ପାଇଁ ତଥାପି ଆଶାବାଦୀ ରହିଛି ଏବଂ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଭାରତକୁ ବିଶ୍ୱର ପ୍ରଥମ ଦେଶର ମାନ୍ୟତା ଦେବାକୁ ପ୍ରୟାସ କରୁଛି। ଗତ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ଶ୍ରୀହରିକୋଟାରୁ ଲଞ୍ଚ୍ ହୋଇଥିଲା।