ଇଂଲଣ୍ଡ ମାଟିରେ ଇତିହାସ ସୃଷ୍ଟି କଲେ ଈଶାନ୍ତ ଶର୍ମା, କପିଲ ଦେବଙ୍କ ବିଶେଷ ରେକର୍ଡ ଭାଙ୍ଗିଲେ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ କ୍ରିକେଟ ମ୍ୟାଚରେ ଈଶାନ୍ତ ଶର୍ମା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଖେଳର ତୃତୀୟ ଦିନ ଶେଷ ବେଳକୁ ଈଶାନ୍ତ ଶର୍ମା ଡେବିଡ କନୱେଙ୍କ ୱିକେଟ ନେଇ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଇଛନ୍ତି। ଈଶାନ୍ତ ଶର୍ମା ଭାରତର ପୂର୍ବ ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏଥିସହ ଭାରତ ତରଫରୁ ଇଂଲଣ୍ଡ ମାଟିରେ ଟେଷ୍ଟ ମ୍ୟାଚରେ ସର୍ବାଧିକ ୱିକେଟ ହାସିଲ କରିବାର ସେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି।

ଗତକାଲି ଭାରତ ୨୧୭ ରନରେ ଅଲଆଉଟ ହୋଇଯିବା ପରେ ନ୍ୟୁଜିଲାଣ୍ଡର ଓପନର ଡେବିଡ କନୱେ ଭାରତ ପାଇଁ ଅସୁବିଧା ବଢ଼ାଇ ଦେଇଥିଲେ। ଡେବିଡ କନୱେ ନିଜର ଉତ୍କୃଷ୍ଟ ଫର୍ମ ଜାରି କରି ନିଜ ଟେଷ୍ଟ କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। କନୱେ ଏକ ବଡ଼ ପାଳି ଆଡକୁ ମୁହାଉଁ ଥିବା ବେଳେ ଈଶାନ୍ତ ଶର୍ମା ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ଡେବିଡ କନୱେ ୧୫୩ ବଲ ଖେଳି ୫୪ ରନ୍ କରିଥିଲେ।