ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀଙ୍କଠୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଆଇସିଡିଏସ୍‌ର ସୁପରଭାଇଜର ଗୀତାଞ୍ଜଳି ସ୍ୱାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ‌୍ସ ହାତରେ ଧରାପଡ଼ିଛନ୍ତି। ଆଜି ସେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ୪,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଲାଞ୍ଚ କାରବାରକୁ ନେଇ ଜଣେ ମହିଳା ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା କର୍ମଚାରୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁଯାୟୀ, ପାଣ୍ଡ୍ରିପାଣି ପଞ୍ଚାୟତର କାଣ୍ଡକିଗୁଡା କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଗାୟତ୍ରୀ ନାୟକଙ୍କ ସମେତ ଅନ୍ୟ ତିନି ଜଣ ଅଙ୍ଗନବାଡ଼ି କର୍ମୀଙ୍କ ରନ୍ଧା ଖାଦ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଶାଢ଼ି କିଣା ବିଲ୍ ପାସ୍ କରିବା ସୁପରଭାଇଜର ଜଣକ ୪୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଙ୍ଗନବାଡ଼ି କର୍ମୀ ଗାୟତ୍ରି ନାୟକ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଫେରାଦ ଦେଇଥିଲେ। ଆଜି ସୁପରଭାଇଜର ଜଣକ ଲାଞ୍ଚ ନେବା ନେବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଡିଏସ‌ପି ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଇନସପେକ୍ଟର ରୂପଧର ନାୟକ, କେକେ ପଟ୍ଟନାୟକ ପ୍ରମୁଖ ଚଢ଼ଉ କରି କାବୁ କରିନେଇଥିଲେ। ଭିଜିଲାନ୍ସ ପକ୍ଷରୁ ଶ୍ରୀମତୀ ସ୍ୱାଇଁଙ୍କ ବାସଭବନକୁ ଯାଞ୍ଚ କରାଯାଇଛି।

ସୂଚନାନୁସାରେ, ମାଲକାନଗିରି ଜିଲ୍ଲାରେ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ଗୁଡିକରେ ଦୁର୍ନୀତି ହେଉଥିବା ନେଇ ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଲୋକେ ଫେରାଦ ହୋଇଛନ୍ତି । ଖେଳନା କିଣାଠାରୁ ଆରମ୍ଭ କରି ଛତୁଆ ପ୍ରସ୍ତୁତିକୁ ନେଇ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଅଙ୍ଗନବାଡ଼ି କର୍ମୀଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରାଯାଉଥିବା ନେଇ ବି ବିଭିନ୍ନ ସମୟରେ ଅଭି‌ଯୋଗ ହୋଇଆସୁଥିଲା ।