କୋର୍ଟରେ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଲା ଆଇଏସ୍ ଆତଙ୍କୀ

କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ବିସ୍ଫୋରଣରେ ସମ୍ପୃକ୍ତି ନେଇ ୨୦୧୭ରେ ଗିରଫ ହୋଇଥିବା ଆଇଏସ୍ ଆତଙ୍କୀ ମହମ୍ମଦ ମୁସିରୁଦ୍ଦିନ୍ ଓରଫ୍ ଅବୁ ମୁସା ମଙ୍ଗଳବାର କୋଲକାତାର ସେସନ୍ କୋର୍ଟରେ ଶୁଣାଣି ଚାଲିଥିବା ସମୟରେ ବିଚାରପତି ପ୍ରସନଜିତ ବିଶ୍ୱାସଙ୍କ ଉପରେ କ୍ଷୁବ୍ଧ ହୋଇ ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲା। ତେବେ ଏହା ଲକ୍ଷ୍ୟଭ୍ରଷ୍ଟ ହୋଇ ଜଣେ ଓକିଲଙ୍କ ଦେହରେ ବାଜିଥିଲା। ମୁସା ଏବେ କୋଲକାତା ପ୍ରେସିଡେନ୍ସି ଜେଲ୍ ରହିଛି। ଏହି ଘଟଣା ପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍ଆଇଏ) ମୁସାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଜମାନବନ୍ଦୀ ନେବାକୁ କୋର୍ଟରେ ଆବେଦନ କରିଛି।

ମୁସା ପୂର୍ବରୁ ଜେଲ୍ରେ ଏହିଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବାର ନଜିର ରହିଛି। ଗତ ଜାନୁଆରୀରେ ମୁସା ଜେଲ୍ର ଜଣେ ୱାର୍ଡେନ୍ ଅମଲ କର୍ମକାରଙ୍କ ମୁଣ୍ଡକୁ ପିଭିସି ପାଇପ୍ ଆକ୍ରମଣ କରିଥିଲା। ୨୦୧୭ରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ମୁସା ଅଲିପୁର ସେଣ୍ଟ୍ରାଲ ଜେଲ୍ ଥିବାବେଳେ ଜଣେ ୱାର୍ଡେନ୍ ଆକ୍ରମଣ କରିଥିଲା। ଉଲ୍ଲେଖଯୋଗ୍ୟ ବର୍ଦ୍ଧମାନ ବିସ୍ଫୋରଣ ଘଟଣାରେ ମୁସାକୁ ଗିରଫ କରି ଜେରା କରାଯିବା ସମୟରେ ସେ ବୀରଭୂମର କିଛି ଲୋକଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ବୋଲି ସ୍ୱୀକାର କରିଥିଲା।