ଭାରତରେ ରହୁଥିବା ଇହୁଦୀଙ୍କୁ ଆଇଏସ୍ ଓ ଅଲକାଏଦାର ଟାର୍ଗେଟ୍

ନୂଆଦିଲ୍ଲୀ: ଭାରତରେ ରହୁଥିବା ଇହୁଦୀ ଓ ଇସ୍ରାଏଲ୍ ନାଗରିକଙ୍କୁ ଆତଙ୍କୀ ସଂଗଠନ ଆଇଏସ୍ ଓ ଅଲକାଏଦା ଟାର୍ଗେଟ୍ କରିଛନ୍ତି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଗୁଇନ୍ଦା ବିଭାଗ ଅନଲାଇନ୍ ମେସେଜକୁ ଇଣ୍ଟରସେପ୍ଟ କରି ଏହି ସୂଚନା ପାଇଛି। ଏହି ଦୁଇ ଆତଙ୍କୀ ସଂଗଠନ ଭାରତରେ ଥିବା ସେମାନଙ୍କ ସମର୍ଥକଙ୍କୁ ହମଲା ଲାଗି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି। ନିକଟରେ କେରଳରେ ସକ୍ରିୟ ଥିବା ଏକ ଜିହାଦି ଗୋଷ୍ଠୀ କୋଚିଠାରେ ରହୁଥିବା ଇହୁଦୀମାନଙ୍କୁ ଟାର୍ଗେଟ୍ କରିଥିଲା।

ମିଳିଥିବା ରିପୋର୍ଟ ଅନୁଯାୟୀ, କେରଳର ପ୍ରମୁଖ ପର୍ଯ୍ୟଟନସ୍ଥଳ ବିଶେଷକରି ସର୍ବୋଥମାମ ମାସୋନିକ୍ ଟେମ୍ପଲ ଓ କୋଦେର ହଲ୍ ଜିହାଦିଙ୍କ ଟାର୍ଗେଟ୍ରେ ରହିଛି। ଅଲକାଏଦା ଓ ଆଇଏସ୍ ଆତଙ୍କୀ ଗୋଷ୍ଠୀ ପକ୍ଷରୁ ଭାରତ ବୁଲି ଆସୁଥିବା ଇସ୍ରାଏଲର ପର୍ଯ୍ୟଟକଙ୍କୁ ଅପହରଣ କରିପାରନ୍ତି ବୋଲି ଗୁଇନ୍ଦା ରିପୋର୍ଟରେ ଚେତାବନୀ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ନିକଟରେ ଗୁଇନ୍ଦା ବ୍ୟୁରୋ ପକ୍ଷରୁ ଇସ୍ରାଏଲର ପର୍ଯ୍ୟଟକଙ୍କୁ ସତର୍କ କରିଦିଆଯାଇଥିଲା।

ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ୍ ଦୂତାବାସରେ ହମଲା ହେବାନେଇ ଷଡ଼ଯନ୍ତ୍ର ହୋଇଥିବା ସମ୍ପର୍କରେ ବିଦେଶୀ ରାଷ୍ଟ୍ରର ତଥ୍ୟକୁ ଉଦ୍ଧାର କରି ଗୁଇନ୍ଦା ବ୍ୟୁରୋ ଏଭଳି ସତର୍କ ସୂଚନା ଜାରି କରିଥିଲା। ଆତଙ୍କୀ ଗୋଷ୍ଠୀଗୁଡ଼ିକ ଇସ୍ରାଏଲ୍ ନାଗରିକଙ୍କ ଚଳାଚଳ ଥିବା ସ୍କୁଲ ଓ ହୋଟେଲଗୁଡ଼ିକୁ ଟାର୍ଗେଟ୍ କରିପାରନ୍ତି ବୋଲି କୁହାଯାଇଛି। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ଇସ୍ରାଏଲ୍ ସମର୍ଥନ କରିଥିବାରୁ ଆତଙ୍କୀ ଗୋଷ୍ଠୀଗୁଡ଼ିକ ସମ୍ପୃକ୍ତ ନାଗରିକଙ୍କୁ ଟାର୍ଗେଟ୍ କରିଛନ୍ତି।

କେବଳ ଭାରତରେ ନୁହେଁ, ବିଶ୍ୱର ବିଭିନ୍ନ ଭାଗରେ ରହୁଥିବା ଇସ୍ରାଏଲ୍ ନାଗରିକଙ୍କୁ ଏହି ଆତଙ୍କୀ ସଂଗଠନ ଟାର୍ଗେଟ୍ କରିଛି। ଇହୁଦୀଙ୍କ ଦ୍ୱାରା ପରିଚାଳିତ ସ୍କୁଲ, ସିନାଗଗ୍ ଏବଂ ଇସ୍ରାଏଲ୍ ନାଗରିକମାନେ ଯାଉଥିବା ରେଷ୍ଟୁରାଣ୍ଟ ଓ ହୋଟେଲଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖାଯାଇଛି।