କାହାଣୀ ଇରଫାନଙ୍କର…

ବଲିଉଡ ଜଗତର ସୁପ୍ରସିଦ୍ଧ କଳାକାର ଇରଫାନ ଖାନ୍ ଆଉ ନାହାନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଇରଫାନ ଏକ ମାଇଲ ଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ। ଏପରିି ଏକ କଳାକାରର ବିୟୋଗରେ କଳା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। କଳାକାର ଭାବେ ପଦ୍ମଶ୍ରୀ ହାସଲ କରିବା ସହ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରି ଫିଲ୍ମଫେୟାର ଆୱାର୍ଡ ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ।

ରାଜସ୍ଥାନର ଟୋଙ୍କ ଜିଲ୍ଲାର ଖଜୁରିଆ ଗ୍ରାମର ଏକ ମୁସଲମାନ ପରିବାରରେ ଜାନୁଆରୀ ୭, ୧୯୬୭ରେ ଇରଫାନ ଜନ୍ମଗ୍ରହଣ କରିଥିଲେ। ମାଆ ବେଗମ ଖାନ ଏବଂ ବାପା ଜାଗିରଦାର ଖାନଙ୍କର ଇରଫାନ ଥିଲେ ପ୍ରଥମ ସନ୍ତାନ। ତାଙ୍କର ଏକ ଟାୟାର ଦୋକାନ ଥିଲା। ପିଲାଦିନୁ କ୍ରିକେଟରେ ରୁଚି ରଖିଥିବା ଇରଫାନ ଅଣ୍ଡର-୨୩ ସିକେ ନାଇଡୁ ଟୁର୍ଣ୍ଣାମେଣ୍ଟରେ ‘ଏମର୍ଜିଂ ପ୍ଲେୟର ଅଫ୍ ଦି ମ୍ୟାଚ୍’ ମଧ୍ୟ ହୋଇଥିଲେ। କିନ୍ତୁ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ସେ କ୍ରିକେଟ ଜଗତରୁ ଓହରି ଆସିଥିଲେ। ପରେ ସେ ୧୯୮୪ ମସିହାରେ ନୂଆଦିଲ୍ଲୀର ଜାତୀୟ ଡ୍ରାମା ସ୍କୁଲ (ଏନ୍ଏସଡି) ରେ ମେଧାବୃତ୍ତି ପାଇ ଅଭିନୟରେ ଏମଏ ଡିଗ୍ରୀ ହାସଲ କରିଥିଲେ।

୧୯୮୫ରେ ଫିଲ୍ମ ଜଗତରେ ପାଦ ଥାପିଥିବା ଇମ୍ରାନ ୧୯୮୬ରେ ‘ସଲାମ ବମ୍ବେ’ ଫିଲ୍ମରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ୨୦୦୧ରେ ବ୍ରିଟିଶ ଫିଲ୍ମ ‘ଦ ୱାରିୟର’ରେ ଅଭିନୟ କରିଥିଲେ। ପରେ ତାରକା ଭାବେ ୨୦୦୩ରେ ‘ହସିଲ’ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ଏହା ପରେ ସେ ବଲିଉଡ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ଫିଲ୍ମରେ ମୁଖ୍ୟ କଳାକାର ରୂପେ ନଜର ଆସିଥିଲେ।

ତାଙ୍କର ଚର୍ଚ୍ଚିତ ଚଳଚ୍ଚିତ୍ର ଗୁଡ଼ିକ ମଧ୍ୟରେ ପାନ ସିଂ ତୋମାର, ଲାଇଫ ଅଫ୍ ପାୟ, ଦ ଲଞ୍ଚବକ୍ସ, ଜୁରାସିକ ୱାର୍ଲ୍ଡ, ହିନ୍ଦି ମିଡ଼ିଅମ, ଅଙ୍ଗରେଜି ମିଡିୟମ ରହିଛି। ତେବେ ଅଙ୍ଗରେଜି ମିଡ଼ିୟମ ତାଙ୍କର ଶେଷ ଫିଲ୍ମ ଥିଲା। ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିବାର କଳା ତାଙ୍କୁ ବେଶ୍ ଭଲଭାବେ ଜଣାଥିଲା। ନିଜର ସର୍ବଶ୍ରେଷ୍ଠ ଅଭିନୟ ଯୋଗୁଁ ୨୦୧୧ ମସିହାରେ ସେ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ।

ଇରଫାନ୍ ୧୯୯୫ ମସିହାରେ ସୁତପା ଦେବେନ୍ଦ୍ର ସିକଦରଙ୍କୁ ବିବାହ କରିଥିଲେ। ଆଜି ତାଙ୍କର ଆୟାନ ଓ ବବି ନାମରେ ଦୁଇ ପୁଅ ଅଛନ୍ତି।

୨୦୧୮ରେ ଇର୍ଫାନଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ନାମକ ଏକ ବିରଳ ବ୍ରେନ୍ କ୍ୟାନ୍ସର ହୋଇଥିବା ଜଣା ପଡ଼ିବା ପରେ ଚିକିତ୍ସା ପାଇଁ ସେ ଲଣ୍ଡନ ଯାଇଥିଲେ। ସେଠାରୁ ଫେରି ସେ ‘ଅଂଗ୍ରେଜୀ ମିଡିୟମ୍’ ଫିଲ୍ମର ସୁଟିଂ ଶେଷ କରିଥିଲେ।
ଆଜି ତାଙ୍କର ଅକାଳ ବିୟୋଗରେ ସାରା ଚଳଚ୍ଚିତ୍ର ଜଗତ ସ୍ତବ୍ଧ ହୋଇଯାଇଛି। ୨୦୧୬ରେ ସେ ଏକ ପ୍ରେସମିଟରେ କହିଥିଲେ ଯେ ,‘ଯେଉଁ ଦିନ ଲୋକମାନେ ମୋ ଫିଲ୍ମ ପରିବର୍ତ୍ତେ ମୋତେ ଦେଖିବାକୁ ଆସିବେ ସେଦିନ ମୋ ଜୀବନର ଶେଷ ଦିନ ହେବ। ଇରଫାନଙ୍କ ଏହି ହୃଦୟ ବିଦାରକ ବାର୍ତ୍ତା ଆଜି ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି।