ଇରାକରେ ସରକାର ବିରୋଧୀ ବିକ୍ଷୋଭ : ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି

ବାଗଦାଦ୍, ଏଜେନ୍ସି : ଇରାକର ରାଜଧାନୀ ବାଗଦାଦରେ ସରକାର ବିରୋଧୀ ବଡ଼ ଧରଣର ବିକ୍ଷୋଭରେ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଶହ ଶହ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଗତ ୩ ଦିନ ହେଲା କର୍ଫ୍ୟୁ ଅବମାନନା କରି ଆନ୍ଦୋଳନ କରିବାରୁ ସୁରକ୍ଷା ବାହିନୀ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା। ଏହି ଆନ୍ଦୋଳନ ଅନ୍ୟ ସହରଗୁଡ଼ିକୁ ବ୍ୟାପିବାରେ ଲାଗିଛି। ବିଶେଷକରି ଦକ୍ଷିଣ ଇରାକର ସିହା ବହୁଳ ଅଞ୍ଚଳରେ ଆନ୍ଦୋଳନ ଜୋରଦାର ହୋଇଛି। ସରକାରୀ ସ୍ତରରେ ବ୍ୟାପକ ଦୁର୍ନୀତି ଏବଂ ବେକାରୀ ସମସ୍ୟା ବୃଦ୍ଧି ପାଇବା ପ୍ରତିବାଦରେ ଇରାକରେ ଏଭଳି ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ କ୍ଷମା ସଂସ୍ଥା ଆନ୍ଦୋଳନକାରୀଙ୍କ ଉପରେ ସୁରକ୍ଷା ବାହିନୀର ଦମନ ଲୀଳା ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଅଦେଲ୍ ଅବଦୁଲ୍ ମାହଦିଙ୍କ ସରକାରକୁ ଆହ୍ୱାନ ଦେଇଛି। ଜାତିସଂଘ ପକ୍ଷରୁ ମଧ୍ୟ ସରକାରଙ୍କୁ ଯଥେଷ୍ଟ ସଞ୍ଜମ ଆଚରଣ କରିବାକୁ ପରାମର୍ଶ ଦିଆଯାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଅନୁମତି ଦେବାକୁ କୁହାଯାଇଛି।