କରୋନା ଭୟ : ୫୪ ହଜାର କଏଦୀଙ୍କୁ ଛାଡ଼ିଲା ଇରାନ

ତେହରାନ : ଭୟଙ୍କର ‘କରୋନା’ ଭୂତାଣୁ ଇରାନ ସରକାରଙ୍କ ନିଦ ହଜାଇ ଦେଇଛି । କରୋନା ମୁକାବିଲା ପାଇଁ ଇରାନ ସରକାର ବିଭିନ୍ନ ଜେଲରେ ଥିବା କଏଦୀମାନଙ୍କୁ ମୁକ୍ତ କରିଛନ୍ତି । ଯେଉଁ କଏଦୀଙ୍କୁ ୫ ବର୍ଷରୁ ଅଧିକ ଦଣ୍ଡାଦେଶ ମିଳିଛି, ସେମାନଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି । ଏହି କ୍ରମରେ ସରକାର ୫୪ ହଜାର କଏଦୀଙ୍କୁ ମୁକ୍ତ କରିଥିବା ଜଣାପଡ଼ିଛି । ଯେଉଁ ଜେଲ୍‌ ଗୁଡ଼ିକରେ କଏଦୀଙ୍କ ସଂଖ୍ୟା ଅଧିକ ରହିଛି ସେଠାରେ ଏହି ପଦକ୍ଷେପ ନିଆଯାଇଛି । ବିଚାର ବିଭାଗୀୟ ମୁଖପାତ୍ର ଘୋଲାମହୋସେନ ଇସମାଇଲି ଗଣମାଧ୍ୟମକୁ କହିଛନ୍ତି ଯେ, ଅନ୍ତେବାସୀମାନଙ୍କର ‘କରୋନା’ ପରୀକ୍ଷା କରାଯାଇଛି । ଯେଉଁମାନଙ୍କୁ ଛଡ଼ାଯାଇଛି ସେମାନେ କରୋନାରେ ଆକ୍ରାନ୍ତ ନାହାନ୍ତି ।