ଆଜିଠାରୁ ଆଇପିଏଲ୍ : ଉଦଘାଟନୀ ମ୍ୟାଚରେ ଚେନ୍ନାଇ-ମୁମ୍ବାଇ ମୁକାବିଲା

ଆବୁଧାବି,ଏଜେନ୍ସି: କରୋନା ଭାଇରସର କରାଳ ରୂପ ପରେ ଭାରତୀୟ କ୍ରିକେଟ ସମର୍ଥକଙ୍କ ଲାଗି ଖୁସିର ଖବର ଆସିଛି। ବହୁ ଆଲୋଚନା, ପର୍ଯ୍ୟାଲୋଚନା ଓ ସ୍ୱାସ୍ଥ୍ୟଗତ ସୁରକ୍ଷା ମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ସୁରକ୍ଷା ବଳୟ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ପାରମ୍ପରିକ ଭାବେ ୮ଟି ଦଳ ୨ ମାସ ମଧ୍ୟରେ ୬୦ଟି ମ୍ୟାଚ୍ ଖେଳି କ୍ରିିକେଟ ସମର୍ଥକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ। ଖେଳସୂଚୀ ଅନୁଯାୟୀ ଡ୍ରିମ୍ସ-୧୧ ଆଇପିଏଲ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ଶେଷ ହେବ। ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ସହ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବେ। ଏଥିଲାଗି ଦୁବାଇ, ଆବୁଧାବି ଓ ଶାରଜାର ୩ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମ୍ୟାଚ୍ ଖେଳିବା ଲାଗି ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମୁକାବିଲା ଆବୁଧାବିରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଗତବର୍ଷର ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ଓ ବିଶ୍ୱରେ ଏହି ଦୁଇ ଦଳର ବେଶ୍ ଲୋକପ୍ରିୟତା ରହିଛି ଓ ଏହି ମୁକାବିଲା ଆଇପିଏଲ୍ ଆରମ୍ଭ ଲାଗି ସର୍ବାଧିକ ଆଗ୍ରହ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ପ୍ରତିବର୍ଷ ପ୍ରତ୍ୟେକ ଦଳରେ ୪ଜଣ ବିଦେଶୀ ଖେଳାଳି ରହୁଥିବାବେଳେ ଏଥର ୩ଜଣ ରହିବେ ବୋଲି ଜଣାପଡ଼ିଛି।