ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲ, ୮ରେ ଫାଇନାଲ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷୀତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ୟୁଏଇରେ ସେପ୍ଟେମ୍ବର ୧୯ରୁ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଆୟୋଜକ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ମଧ୍ୟ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ଏହା ଜଣାଯାଇଛି। ବିସିସିଆଇ ସୂତ୍ରରୁ ଜଣାଯାଇଛି, ଯେ ସରକାର ୟୁଏଇରେ ଆଇପିଏଲ ଆୟୋଜନ ଲାଗି ଅନୁମତି ପ୍ରଦାନ କରିଛନ୍ତି ଓ ଏଥିରେ ସମସ୍ତ ମ୍ୟାଚ୍ ଆୟୋଜିତ ହେବ। ଏହି ଲୋଭନୀୟ ତଥା ଆକର୍ଷଣୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣକାରୀ ଦଳ ସମସ୍ତ ୬୦ଟି ଯାକ ମ୍ୟାଚ୍ ଖେଳିବେ। କାର୍ଯ୍ୟସୂଚୀ ଅନୁଯାୟୀ ଆଇପିଏଲର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ରେ ଆରମ୍ଭ ହେବ ଓ ନଭେମ୍ବର ୮ରେ ଫାଇନାଲ ଖେଳାଯିବ। ୭ ସପ୍ତାହ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାରୁ ପ୍ରସାରଣକାରୀ ସଂସ୍ଥାକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ସେହିପରି ୟୁଏଇରେ ଫ୍ରାଞ୍ଚାଇଜ୍ ଗୁଡିକ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ନେଇ ଗୋଟିଏ ମାସ ଆଗରୁ ପହଞ୍ଚିବେ। ଫଳରେ କ୍ୱାରେଣ୍ଟାଇନ୍ ସୁବିଧା ସହ ଖେଳାଳିମାନେ ପର୍ଯ୍ୟାପ୍ତ ସମୟ ଅଭ୍ୟାସ କରିବାକୁ ପାଇବେ। ଏ ସମ୍ପର୍କରେ ସମସ୍ତ ଫ୍ରାଞ୍ଚାଇଜଗୁଡିକୁ ସୂଚନା ଦିଆସରିଛି ବୋଲି ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବାର ସର୍ତ୍ତରେ ପିଟିଆଇକୁ କହିଛନ୍ତି।
ଏହା ପୂର୍ବରୁ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଟି-୨୦ ବିଶ୍ୱକପ୍କୁ ଆୟୋଜନ କରିବାକୁ ଅଷ୍ଟ୍ରେଲିଆ ଅସାମର୍ଥ୍ୟତା ପ୍ରକାଶ କରିଥିଲା। ଯାହା ଫଳରେ ଆଇସିସି ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖିବା ଫଳରେ ଏବେ ଆଇପିଏଲ ଆୟୋଜନ ସମ୍ଭବ ହେବାକୁ ଯାଉଛି। ପୂର୍ବରୁ ଆଇପିଏଲ ସେପ୍ଟେମ୍ବର ୨୬ରୁ ଆୟୋଜିତ ହେବ ବୋଲି ଅନୁମାନ କରାଯାଉଥିଲା। ଏବେ ଗୋଟିଏ ସପ୍ତାହ ଆଗରୁ ଏହାକୁ ଆରମ୍ଭ କରିବାର ଅର୍ଥ ହେଲା ଭାରତ ନିର୍ଦ୍ଧାରିତ ସମୟରେ ଅଷ୍ଟ୍ରେଲିଆ ଟୁରକୁ ଯାଇପାରିବ। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ ବୋଲି ନିୟମ ରହିଛି। ଏଣୁ ଠିକ୍ ସମୟରେ ଟୁର୍ ଆରମ୍ଭ କରିବା ଅର୍ଥ ଆଗୁଆ ଯିବା। ଏଥିଲାଗି ଆଇପିଏଲକୁ ଗୋଟିଏ ସପ୍ତାହ ଆଗରୁ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଉକ୍ତ କର୍ମକର୍ତ୍ତାଜଣଙ୍କ ପ୍ରକାଶ କରିଛନ୍ତି। ୮ଟି ଟିମ୍ ୫୧ ଦିନ ମଧ୍ୟରେ ୬୦ଟି ମ୍ୟାଚ୍ ଖେଳିବେ। ପ୍ରତ୍ୟେକ ଟିମ୍ ଲିଗ୍ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍ ଖେଳିବେ।