ବଦଳିବନି ଆଇପିଏଲ୍ ସୂଚୀ: ଗାଙ୍ଗୁଲି

ମୁମ୍ବାଇ,ଏଜେନ୍ସି: ଚଳିତ ଆଇପିଏଲ୍ ସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମୁଖ୍ୟ ସୌରଭ ଗାଙ୍ଗୁଲି କହିଛନ୍ତି। ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ପ୍ରାଦୁର୍ଭାବ କାରଣରୁ ମୁମ୍ବାଇରେ ଆଇପିଏଲ୍ ଆୟୋଜନ ନେଇ ଆଶଙ୍କା ଦେଖା ଦେଇଛି। ତେବେ ସୋମବାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏଭଳି ଆଶଙ୍କାକୁ ଖଣ୍ଡନ କରିଛନ୍ତି। ଆସନ୍ତା ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରି କରାଯାଇଛି। ଲକଡାଉନ୍ ଥିଲେ ମଧ୍ୟ ଆଇପିଏଲ୍ ଆୟୋଜନରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂତନ ଗାଇଡଲାଇନ୍ ଅନୁଯାୟୀ ଧାର୍ମିକ ସ୍ଥଳ, ମନୋରଞ୍ଜନ ପାର୍କ, ଇଣ୍ଡୋର ସ୍ପୋର୍ଟସ୍ କମ୍ପେ୍ଲକ୍ସ, ଖେଳପଡିଆ, ସମୁଦ୍ରକୂଳ ଏବଂ ସେଲୁନ୍ ଗୁଡିକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଖେଳାଳି ମାନଙ୍କୁ ବାୟୋ ବବଲରେ ରଖା ଯାଇଥିବାରୁ ମ୍ୟାଚ୍ ସ୍ଥାନ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ। ନିକଟରେ ଦେବଦତ୍ତ ପାଡିକଲ୍ ଏବଂ ଅକ୍ଷର ପଟେଲଙ୍କ ପରି ଖେଳାଳି କରୋନା ସଂକ୍ରମିତ ହୋଇଥିଲେ ହେଁ ଏହା ଚିନ୍ତାର ବିଷୟ ନୁହେଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଅଦ୍ୟାବଧି ଚାରୋଟି ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ, ପଞ୍ଜାବ କିଙ୍ଗସ୍୍ ଓ ଚେନ୍ନାଇ ସୁପର କିଙ୍ଗସର ଖେଳାଳି ମାନେ ମୁମ୍ବାଇରେ ଅଛନ୍ତି। ଏହି ୪ ଫ୍ରାଞ୍ଚାଇଜିର ଖେଳାଳି ମାନେ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍, ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ ଏବଂ ଡି ୱାଇ ପାଟିଲ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି। ଏହା ସହିତ ବିସିସିଆଇ ପକ୍ଷରୁ ଦୁଇଟି ବିକଳ୍ପ ଭେନ୍ୟୁ ଭାବରେ ଇନ୍ଦୋର ଏବଂ ହାଇଦ୍ରାବାଦର ନାମ ଘୋଷଣା କରାଯାଇଛି।