ଆଇପିଏଲ୍‌ ୨୦୨୩: ପଞ୍ଜାବ ପାଇଁ ଏକାକୀ ଲଢ଼ି ହାରିଲେ ଧାୱନ, ୮ ୱିକେଟରେ ହାଇଦ୍ରାବାଦର ପ୍ରଥମ ବିଜୟ

ହାଇଦ୍ରାବାଦ,ଏଜେନ୍ସି: ଆଇପିଏଲ ୨୦୨୩ରେ ଆଜି ପ୍ରଥମ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ନିଜ ଘରୋଇ ଗ୍ରାଉଣ୍ଡରେ ଦଳକୁ ଚଳିତ ସଂସ୍କରଣର ପ୍ରଥମ ବିଜୟ ମିଳିଛି । ପଞ୍ଜାବ କିଙ୍ଗସର ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ଆଜି ଦଳକୁ ପରାଜୟର ସ୍ବାଦ ଚଖାଇଛି ହାଇଦ୍ରାବାଦ । ପଞ୍ଜାବ ପକ୍ଷରୁ ଶିଖର ଧାୱନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଆଜି ପିଚରେ କମାଲ କରିପାରିନଥିଲେ । ଫଳରେ ହାଇଦ୍ରାବାଦ ମାତ୍ର ୧୭.୧ ଓଭରରେ ଟାର୍ଗଦେଟ ହାସଲ କରିଥିଲା ।

ପ୍ରଥମେ ଟସ ଜିତି ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ହାଇଦ୍ରାବାଦ ଅଧିନାୟକ । ପଞ୍ଜାବ ପାଳି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ଦଳୀୟ ଖାତା ଖୋଲିବା ପୂର୍ବରୁ ପ୍ରଭସିମ୍ରନ ସିଂହ ପାଭିଲିୟନ ଫେରିଥିଲେ । ଶିଖର ଧାୱନଙ୍କ ଲଢ଼ୁଆ ଇନିଂସ ଯୋଗୁଁ ଦଳ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ଆଜି ପଞ୍ଜାବ ପକ୍ଷରୁ ୯ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ମଧ୍ୟ କରିପାରି ନଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଡକ୍ ଆଉଟ ହୋଇଥିବା ବେଳେ ତିନି ଜଣ କେବଳ ୧ ରନ ହିଁ କରିପାରିଛନ୍ତି । ଅନ୍ୟପଟେ ଶିଖର ଧାୱନ ଲଗାତାର ବଡ଼ ସଟ୍ ଖେଳି ଚାଲଥିଲେ । ସେ ୬୬ ବଲରୁ ୯୯ ରନ କରି ଅପରାଜିତ ରହିଥିଲେ । ଯେଉଁଥିରେ ୧୨ଟି ଚୌକା ଓ ୫ଟି ଛକା ସାମିଲ ରହିଛି । ଅଲରାଉଣ୍ଡର ସାମ କରନ ୧୫ଟି ବଲରୁ ୨୨ ରନ ହିଁ କରିବାକୁ ସକ୍ଷମ ହୋଇଥିଲେ । ଆଜି ନିର୍ଦ୍ଧାରିତ ୨୦ ଓଭରରେ ପଞ୍ଜାବ କିଙ୍ଗସ ୯ ୱିକେଟରେ ୧୪୩ ରନ ହିଁ କରିପାରିଥିଲା ।

ସେପଟେ ହାଇଦ୍ରାବାଦ ପକ୍ଷରୁ ଆଜି ଭଲ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ମୟଙ୍କ ମାର୍କଣ୍ଡେ ଆଜି ସର୍ବନିମ୍ନ ରନ ଖର୍ଚ୍ଚ କରିବା ସହିତ ୪ଟି ୱିକେଟ ଅକ୍ତିଆର କରିଥିଲେ । ମାର୍କୋ ଜାନସେନ ଓ ଉମ୍ରାନ ମଲିକ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଭୁବନେଶ୍ବର କୁମାର ମଧ୍ୟ ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ ।

ଏହାପରେ ୧୪୪ ରନର ବିଜୟ ଲକ୍ଷ ପିଛା କରିବାକୁ ଯାଇ ଆକ୍ରାମକ ନୀତି ଆପଣାଇଥିଲେ ହାଇଦ୍ରାବାଦ ବ୍ୟାଟର । ମାତ୍ର ୨ଟି ୱିକେଟ ବିନିମୟରେ ଟାର୍ଗେଟ ହାସଲ କରିଛି ଦଳ । ଦଳୀୟ ସ୍କୋର ୨୭ ବେଳେ ପ୍ରଥମ ୱିକେଟର ପତନ ଘଟିଥିଲା । ଏହାପରେ ମୟଙ୍କ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀ ବଡ଼ ସଟ ଖେଳିବା ଜାରି ରଖିଥିଲେ । ତେବେ ମୟଙ୍କ ଅଗ୍ରୱାଲ କେବଳ ୨୧ ରନ କରି ପାଭିଲିୟନ ଫେରିଥିଲେ । ସେପଟେ ରାହୁଲ ତ୍ରିପାଠୀ ୪୮ ବଲରୁ ଦୃତ ୭୪ ରନ କରି ଦଳକୁ ବିଜୟ ଦ୍ବାରକୁ ନେଇଯାଇଥିଲେ । ଏଥିରେ ତାଙ୍କର ଭରପୁର ସାଥ ଦେଇଥିଲେ ଅଧିନାୟକ ମାର୍କ୍ରମ । ଯିଏକି ୨୧ ବଲରୁ ୩୭ ରନ ସଂଗ୍ରହ କରିଛନ୍ତି । ଯାହା ଫଳରେ ଦଳ ମାତ୍ର ୧୭.୧ ଓଭରରେ ବିଜୟ ଲାଭ କରିଛି ।

ପଞ୍ଜାବ ପକ୍ଷରୁ ଆଜି ଆଶାନୁରୂପ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ରାହୁଲ ଚହର ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟ କୌଣସି ବୋଲର ୱିକେଟ ଦଖଲ କରିବାରେ ସକ୍ଷମ ହୋଇପାରି ନଥିଲେ ।