ଆଇପିଏଲ୍‌ ୨୦୨୩: ୫ ୱିକେଟରେ ଜିତି ଟେବୁଲ ଟପର ଲକ୍ଷ୍ନୌ

ଲକ୍ଷ୍ନୌ,ଏଜେନ୍ସି: ଜାରି ରହିଥିବା ଆଇପିଏଲ ୨୦୨୩ର ଦଶମ ମ୍ୟାଚ୍‌ରେ ମଧ୍ୟ ବିଜୟର ସ୍ବାଦ ଚାଖି ପାରିଲାନି ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୨୦ ରନ ସଂଗ୍ରହ କରିଥିଲା ଦଳ । ଯାହା ପ୍ରଥମ ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା । ତେବେ ପୂର୍ବ ମ୍ୟାଚ୍‌ ହାରି ମୈଦାନକୁ ଆସିଥିବା ଲକ୍ଷ୍ନୌ ଆଜି ଘରୋଇ ଗ୍ରାଉଣ୍ଡରେ ଚଳିତ ସଂସ୍କରଣର ଦ୍ବିତୀୟ ବିଜୟ ହାସଲ କରିଛି । ୫ ୱିକେଟରେ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ତେବେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କୃଣାଲ ପାଣ୍ଡ୍ୟା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପ୍ରଥମେ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ହାଇଦ୍ରାବାଦ ଅଧିନାୟକ ଏଡେନ ମାର୍କ୍ରମ । ତେବେ ଦଳ ପାଇଁ ଆରମ୍ଭ ସେତେ ଭଲ ହୋଇନଥିଲା । ଲଗାତାର ଖରାପ ପ୍ରଦର୍ଶନ କରୁଥିବା ମୟଙ୍କ ଅଗ୍ରୱାଲ ଆଜିର ମ୍ୟାଚ୍‌ରେ ମଧ୍ୟ ଲୟ ଖୋଜି ପାରି ନଥିଲେ । କେବଳ ୮ ରନ କରି ସେ ପାଭିଲିୟନ ଫେରିଥିଲେ । ଏହାପରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଅନମୋଲପ୍ରିତ ସିଂହ ଓ ରାହୁଲ ତ୍ରିପାଠୀଙ୍କ ମଧ୍ୟରେ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା । କିନ୍ତୁ ଦଳୀୟ ସ୍କୋର କେବଳ ୫୦ ରନ ହୋଇଥିବା ବେଳେ ପାଭିଲିୟନ ଫେରିଥିଲେ ଅନମୋଲପ୍ରିତ । ସେ ୨୬ ବଲ ଖେଳିଥିବା ବେଳେ ୩ ଚୌକା ଓ ଗୋଟିଏ ଛକା ବଳରେ ୩୧ ରନ ସଂଗ୍ରହ କରିଥିଲେ । ଏହାପରେ ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଅଧିନାୟକ ମାର୍କ୍ରମଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ଲକ୍ଷ୍ନୌ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା । ହ୍ୟାରୀ ବ୍ରୁକ ମଧ୍ୟ କେବଳ ୩ ରନ କରି ପାଭିଲିୟନ ଫେରିଥିଲେ । ତେବେ ଭଲ ଫର୍ମରେ ନଜର ଆସୁଥିବା ରାହୁଲ ତ୍ରିପାଠୀ ୟଶ ଠାକୁରଙ୍କ ବଲରେ ଶିକାର ହୋଇଥିଲେ । ସେ ଦଳ ପାଇଁ ସର୍ବାଧିକ ୪୧ ବଲ ଖେଳି ୩୫ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାଶିଂଟନ ସୁନ୍ଦର ୧୬ ରନ ସଂଗ୍ରହ କରିଥିବା ବେଳେ ଅବଦୁଲ ସମଦ ୧୦ ବଲରୁ ଅପରାଜିତ ୨୧ ରନ ସଂଗ୍ରହ କରିଛନ୍ତି । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ଦଳ କେବଳ ୧୨୧ ରନରେ ସୀମିତ ରହିଯାଇଥିଲା ।

ସେପଟେ ଲକ୍ଷ୍ନୌ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ସ୍ପିନର କୃଣାଲ ପାଣ୍ଡ୍ୟା ୪ ଓଭରରେ ମାତ୍ର ୧୮ ରନ ବ୍ୟୟ କରି ସର୍ବାଧିକ ୩ଟି ୱିକେଟ ହାତେଇଥିଲେ । ସେହିଭଳି ଅନୁଭବୀ ସ୍ପିନର ଅମିତ ମିଶ୍ରା ୪ ଓଭର ବୋଲିଂ କରି ୨୩ ରନ ବ୍ୟୟରେ ୨ଟି ୱିକେଟ ନେଇଥିଲେ । ୟଶ ଠାକୁର ଓ ରବି ବିଷ୍ଣୋଇଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ଏହାପରେ ଚଳିତ ସଂସ୍କରଣର ଦ୍ବିତୀୟ ବିଜୟ ପାଇଁ ମାତ୍ର ୧୨୨ ରନର ଟାର୍ଗେଟ ନେଇ ଘରୋଇ ଗ୍ରାଉଣ୍ଡରେ ମୈଦାନକୁ ଓହ୍ଲାଇଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ପୂର୍ବ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ ଜାରି ରଖିଥିବା କାୟଲ ମାୟର୍ସ ଆଜି କେବଳ ୧୩ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଦୀପକ ହୁଡ୍ଡା ୭ ରନ କରି ଆଦିଲ ରସିଦଙ୍କ ଶିକାର ହୋଇଥିଲେ । ଏହାପରେ ଅଧିନାୟକ ରାହୁଲ ଓ କୃଣାଲ ପାଣ୍ଡ୍ୟାଙ୍କ ମଧ୍ୟରେ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ ରାହୁଲ ୩୧ ବଲରୁ ୩୫ ରନ କରିଥିବା ବେଳେ ପାଣ୍ଡ୍ୟା ୨୩ ବଲରୁ ୩୪ ରନ କରି ଆଉଟ ହୋଇଥିଲେ । ଷ୍ଟୋଇନିସ ଓ ପୁରନଙ୍କ ଅପରାଜିତ ୧୦ ଓ ୧୧ ରନର ଭାଗୀଦାରି ବଳରେ ଲକ୍ଷ୍ନୌ ଆଜିର ମ୍ୟାଚ ୫ ୱିକେଟରେ ଜିତି ନେଇଛି ।

ଅନ୍ୟପଟେ ହାଇଦ୍ରାବାଦ ବୋଲରଙ୍କ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଆଦିଲ ରସିଦ ଆଜି ୩ ଓଭର ବୋଲିଂ କରି ୨୩ ରନ ବ୍ୟୟରେ ଦଳ ପାଇଁ ସର୍ବାଧିକ ୨ଟି ୱିକେଟ ହାସଲ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ବର କୁମାର, ଫଜଲହକ ଫାରୁକି ଓ ଉମ୍ରାନ ମଲିକ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଫଳରେ ୧୧୪ ରନ ସୁଦ୍ଧା ଲକ୍ଷ୍ନୌ ୫ ୱିକେଟ ହରାଇ ଦେଇଥିଲା । କିନ୍ତୁ ୧୨୨ ରନର ବିଜୟ ଲକ୍ଷ୍ୟକୁ ସହଜରେ ଜିତି ନେଇଥିଲା ରାହୁଲ ବାହିନୀ ।