ମୁମ୍ବାଇ,ଏଜେନ୍ସି: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ ୬୧ ତମ ମ୍ୟାଚରେ ଜବରଦସ୍ତ ବିଜୟ ହାଇସ କରିଛି ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ କୋଲକାତା ନାଇଟ ରାଇଡର୍ସ। ଆନ୍ଦ୍ର ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ କୋଲକାତା କବଜାକୁ ଯାଇଛି ମ୍ୟାଚ। ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ହାଇଦ୍ରାବାଦକୁ ୫୪ ରନରେ ପରାସ୍ତ କରିଛି କୋଲକାତା। ଫଳରେ କେକେଆର୍ର ପ୍ଲେ-ଅଫ ଆଶା ଉଜ୍ଜୀବିତ ରହିଛି। ୪୯ ରନର ଅପରାଜିତ ଇନିଂସ ସହ ୩ଟି ୱିକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ରସେଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କୋଲକାତା ଅଧିନାୟକ ଶ୍ରେୟସ ଆୟର। ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୬ ବଲରେ ୭ ରନ୍ କରି ପାଭିଲିୟନ ଫେରି ଯାଇଥିଲେ ଭେଙ୍କେଟଶ ଆୟର। ଏହାପରେ ଅଜିଙ୍କ୍ୟ ରାହାଣେ ଏବଂ ନୀତିଶ ରାଣା ସତର୍କତାର ସହ ପାଳି ଆରମ୍ଭ କରିଥିଲେ। ରାହାଣେ ୨୮ ରନ କରିଥିବାବେଳେ ରାଣା ୨୬ ରନ କରି ଉମରାନ ମଲିକଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ। ଅଧିନାୟକ ଶ୍ରେୟାସ ଆୟର ୧୫ ରନ୍ କରି ଉମରାନ ମଲିକ ଏବଂ ସାମ ବିଲିଙ୍ଗ୍ସ ୩୪ ରନ କରି ଭୁବନେଶ୍ବର କୁମାରଙ୍କ ଶିକାର ହୋଇଥିଲେ। ମାତ୍ର ଶେଷ ବେଳକୁ ଆସିଥିବା ଆନ୍ଦ୍ରେ ରସେଲ ଶକ୍ତିଶାଳୀ ବ୍ୟାଟିଂ ଆରମ୍ଭ କରିଥିଲେ।
ଧୂଆଁଧାର ବ୍ୟାଟିଂ ବଳରେ ୨୭ ବଲରୁ ଅପରାଜିତ ୪୯ ରନ କରିଥିଲେ ରସେଲ। ଏଥିରେ ୪ଟି ଛକା ଏବଂ ୩ଟି ଚୌକା ରହିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲା କୋଲକାତା। ହାଇଦ୍ରାବାଦ ସମ୍ମୁଖରେ ୧୭୮ ରନର ବିଜୟ ଲକ୍ଷ୍ୟ ରହିଥିଲା। ସେପଟେ ହାଇଦ୍ରାବାଦ ପକ୍ଷରୁ ଉମରାନ ମଲିକ ସର୍ବାଧିକ ୩ଟି ଓ୍ବିକେଟ ନେଇ ଥିବାବେଳେ ମାର୍କୋ ଜନସନ, ଭୁବନେଶ୍ବର କୁମାର ଏବଂ ଟି.ନଟରାଜନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।
୧୭୮ ରନ୍ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲେ ସନରାଇଜର୍ସର ଦୁଇ ଓପନର ଅଭିଶେକ ଶର୍ମା ଓ କେନ ୱିଲିୟମସନ। ଉଭୟଙ୍କ ମଧ୍ୟରେ ୩୦ ରନର ଭାଗିଦାରୀ ହୋଇଥିଲା। ବ୍ୟକ୍ତିଗତ ୯ ରନ କରି ଆଉଟ ହୋଇଥିଲେ ୱିଲିୟମସନ। ପରେ ପରେ ରାହୁଲ ତ୍ରିପାଠୀ ୯ ରନ କରି ପାଭିଲୟନ ଫେରିଥିଲେ। ଓପନର ଅଭିଷେକ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୭୨ରେ ପହଞ୍ଚାଇଥିଲେ। ୨୮ ବଲରୁ ୪୩ ରନ କରି ଆଉଟ ହୋଇଥିଲେ ଅଭିଷେକ। ଏହା ପରେ ହାଇଦ୍ରାବାଦ ଲୟ ହରାଇଥିଲା। ଆଉ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ତିଷ୍ଠି ପାରି ନଥିଲେ। ଏଡେନ ମାର୍କରମ ୩୨, ନିକୋଲାସ ପୂରନ ୨, ୱାଶିଂଟନ ସୁନ୍ଦର ୪ ଓ ମାର୍କୋ ଜାନସେନ ୧ ଓ ଶାଶାଙ୍କ ସିଂହ ୧୧ ରନ କରି ଆଉଟ ହୋଇଥିଲେ। ୮ ୱିକେଟ ହରାଇ ଦଳର ରନ ଗାଡି ୧୨୩ ରନରେ ଅଟକି ଯାଇଥିଲା। ଭୁବନେଶ୍ବର କୁମାର(୩) ଓ ଉମ୍ରାନ ମଲିକ (୩) ଅପରାଜିତ ରହି ଦଳୀୟ ସ୍କୋରକୁ ୧୨୩ରେ ପହଞ୍ଚାଇଥିଲେ।