ଆଇପିଏଲ୍ ୨୦୨୦ : ନିଲାମ ହେବେ ୩୩୨ ଖେଳାଳି

ମୁମ୍ବାଇ,ଏଜେନ୍ସି: ଆସନ୍ତା ୧୯ ତାରିଖରେ କୋଲକାତାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ସଂସ୍କରଣ ପାଇଁ ଖେଳାଳି ନିଲାମ କରାଯିବ। ପୂର୍ବରୁ ଏହି ନିଲାମରେ ୯୭୧ ଜଣ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ହେବାକୁ ରହିଥିଲା। କିନ୍ତୁ ଏବେ ଆଇପିଏଲ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏହାକୁ ୩୩୨କୁ କମା ଯାଇଛି। ଏପରିକି ଏହି ୩୩୨ ଖେଳାଳିଙ୍କ ତାଲିକାକୁ ୮ଟି ଯାକ ଫ୍ରାଞ୍ଚାଇଜ ନିକଟକୁ ପଠାଯାଇଛି।

ଏହା ମଧ୍ୟରୁ ୮ଟି ଯାକ ଫ୍ରାଞ୍ଚାଇଜ୍ ୭୩ଟି ସ୍ଥାନ ପାଇଁ ଖେଳାଳି ଚୟନ କରିବେ। ଏହାମଧ୍ୟରୁ ୨୯ଟି ବିଦେଶୀ ଖେଳାଳିଙ୍କ ସ୍ଥାନ ରହିଛି। ମ୍ୟାନେଜମେଣ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୩୩୨ ଖେଳାଳିଙ୍କ ମଧ୍ୟରେ ୧୯ଜଣ ନବାଗତ ଭାରତୀୟ ରହିଛନ୍ତି। ଏହାବ୍ୟତୀତ ବାଂଲାଦେଶର ମୁସଫିକର ରହିମ ଓ ୱେଷ୍ଟଇଣ୍ଡିଜର କେସ୍ରିକ୍ ୱିଲିୟମ୍ସଙ୍କ ପରି ୨୪ଜଣ ନୂଆ ଖେଳାଳି ମଧ୍ୟ ରହିଛନ୍ତି।

ଭାରତୀୟ ଖେଳାଳିଙ୍କ ମଧ୍ୟରେ ରବିନ୍ ଉତ୍ଥାପାଙ୍କ ବେସ୍ ପ୍ରାଇସ୍ ସର୍ବାଧିକ ୧.୫ କୋଟି ରହିଥିବା ବେଳେ ଗତ ଦୁଇଟି ସଂସ୍କରଣରେ ସବୁଠାରୁ ଅଧିକ ମୂଲ୍ୟରେ କିଣା ହେଉଥିବା ଜୟଦେବ ଉନଦକତଙ୍କ ବେସ୍ ପ୍ରାଇସ୍ ଏକ କୋଟି ରହିଛି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବେସ୍ ପ୍ରାଇସ୍ ୨ କୋଟି ରହିଛି। ମାକ୍ସୱେଲଙ୍କ ବ୍ୟତୀତ ଇଂଲଣ୍ଡ ଅଧିନାୟକ ଇୟନ୍ ମୋର୍ଗାନ୍, ଜେସନ୍ ରୟ, ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ, କ୍ରିସ୍ ଲିନ୍ ଓ ପାଟ କମିନ୍ସଙ୍କ ପରି ଖେଳାଳି ଏହି ନିଲାମରେ ରହିଛନ୍ତି।