ଆଇଓସିଏଲ୍-ରୋଜନେଫ୍ଟ ଚୁକ୍ତି ସ୍ୱାକ୍ଷରିତ : ମଜଭୁତ ହେବ ଭାରତର ଊର୍ଜା ସୁରକ୍ଷା

ଭାରତକୁ ବାର୍ଷିକ ୨ ଏମଏମଟି ଅଶୋଧିତ ତୈଳ ଯୋଗାଇବ ରୁଷ୍

ନୂଆଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜନେଫ୍ଟର ସିଇଓ ଇଗୋର ସଚିନ୍ ଏବଂ ତାଙ୍କର ଏକ ଉଚ୍ଚ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ନୂଆଦିଲ୍ଲୀଠାରେ ବୁଧବାର ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଥମ ଥର ପାଇଁ ଆଇଓସିଏଲ ଏବଂ ରୋଜନେଫ୍ଟ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଫଳରେ ରୁଷ୍ ଭାରତକୁ ବାର୍ଷିକ ୨ ଏମ୍ଏମ୍ଟି ଅଶୋଧିତ ତୈଳ ଯୋଗାଇବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଚୁକ୍ତି ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ଚୁକ୍ତି ଭାରତର ଊର୍ଜା ସୁରକ୍ଷାକୁ ବଢାଇବା ଦିଗରେ ବଡ ପଦକ୍ଷେପ। ଭାରତ ଏବଂ ରୁଷ୍ର ସମ୍ପର୍କ ମଧ୍ୟରେ ହାଇଡ୍ରୋକାର୍ବନ ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତର ଊର୍ଜା ସୁରକ୍ଷାରେ ରୋଜନେଫ୍ଟ ଏକ ଭଲ ସହଯୋଗୀ କମ୍ପାନୀ। ଭାରତୀୟ ତୈଳ ଓ ଗ୍ୟାସ ପିଏସ୍ୟୁ ଏବଂ ରୋଜନେଫ୍ଟ ମଧ୍ୟରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ସଂକ୍ରାନ୍ତରେ ଉଭୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରୋଜନେଫ୍ଟର ସିଇଓ ସମୀକ୍ଷା କରିଥିଲେ।

ଦ୍ୱିପାକ୍ଷିକ ଊର୍ଜା ସହଯୋଗକୁ ବଢାଇବା ସହ ପ୍ରାକୃତିକ ଗ୍ୟାସ ଓ ଅଶୋଧିତ ତୈଳରେ ପୁଞ୍ଜିନିବେଶ ମାଧ୍ୟମରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜଭୁତ୍ କରିବା ପ୍ରସଙ୍ଗ ଏହି ଚର୍ଚ୍ଚାରେ ପ୍ରାଧାନ୍ୟ ପାଇଥିଲା। ଉଲ୍ଲେଖନୀୟ ଯେ ଆଜିର ବୈଠକରେ ରୁଷ୍ର ଭୋଷ୍ଟକ ପ୍ରକଳ୍ପରେ ଭାରତର ପୁଞ୍ଜିନିବେଶର ରୋଡମ୍ୟାପ୍ ସମେତ ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୁଷ୍ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଜି ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିକୁ ଭବିଷ୍ୟତରେ ଆହୁରି ଆଗକୁ ନେବା, ଭାରତର ଊର୍ଜା ସୁରକ୍ଷାକୁ ମଜଭୁତ କରିବା ଏବଂ ଭାରତୀୟ ତୈଳ ଓ ଗ୍ୟାସ କମ୍ପାନୀ ସହ ମିଳିତ ଭାବରେ କାମ କରିବା ପାଇଁ ରୋଜନେଫ୍ଟର ସିଇଓ ସମ୍ମତି ପ୍ରଦାନ କରିଥିଲେ।