ଆଇଏନ୍ଏକ୍ସ ମାମଲା : ଆତ୍ମସମର୍ପଣ ପାଇଁ ଚିଦାମ୍ବରମଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ଏଜେନ୍ସି : ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଏବେ ତିହାର ଜେଲରେ ଅଛନ୍ତି। ଶୁକ୍ରବାର ତାଙ୍କୁ କୋର୍ଟଙ୍କ ଆଉ ଏକ ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ଆତ୍ମସମର୍ପଣ କରିବାକୁ ସେ କରିଥିବା ଆବେଦନକୁ ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତ ଖାରଜ କରିଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାର ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। କୋର୍ଟରୁ ଆଶ୍ୱସ୍ତି ମିଳି ନଥିବାରୁ ଚିଦାମ୍ବରମଙ୍କୁ ଆସନ୍ତା ୧୯ ପର୍ଯ୍ୟନ୍ତ ତିହାର ଜେଲରେ ରହିବାକୁ ପଡ଼ିବ।

ଚିଦାମ୍ବରମଙ୍କ ଆବେଦନର ଗୁରୁବାର ସ୍ୱତନ୍ତ୍ର ଅଦାଲତରେ ଶୁଣାଣି ହୋଇଥିଲା। ତେବେ ଇଡି ଏହି ଆବେଦନକୁ ବିରୋଧ କରି କହିଥିଲା, ଚିଦାମ୍ବରମ ଏବେ ଜେଲରେ ଅଛନ୍ତି। ତେଣୁ ପ୍ରମାଣପତ୍ର ପ୍ରଭାବିତ ହେବାର ସମ୍ଭାବନା ନାହିଁ। ଆମେ ଏହି ମାମଲାରେ ୬ ଅନ୍ୟ ଲୋକଙ୍କୁ ଜେରା କରିବାକୁ ଚାହୁଁଛୁ। ସେଥିପାଇଁ ତାଙ୍କୁ ଶେଷରେ ଗିରଫ କରିବାକୁ ଚାହୁଁଛୁ।

ଏହାକୁ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ବିରୋଧ କରିଥିଲେ। ଇତିମଧ୍ୟରେ ଦୁର୍ନୀତି ମାମଲାରେ ନିୟମିତ ଜାମିନ ପାଇଁ ଚିଦାମ୍ବରମଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଏ ସମ୍ପର୍କରେ କୋର୍ଟ ସିବିଆଇକୁ ୭ ଦିନ ମଧ୍ୟରେ ଜବାବ ମାଗିଛି। ଉଲ୍ଲେଖଯୋଗ୍ୟ ଯେ, ସ୍ୱତନ୍ତ୍ର ଅଦାଲତ ଚିଦାମ୍ବରମଙ୍କୁ ଗତ ୫ ତାରିଖରେ ୧୪ ଦିନ ପାଇଁ ତିହାର ଜେଲକୁ ପଠାଇ ଦେଇଥିଲେ।