ବିଦ୍ୟାଳୟ ଉଦ୍‌ଘାଟନୀକୁ ନେଇ ହଟହଟା ଆୟୋଜକ, ଆସିଲେନି ନିମନ୍ତ୍ରିତ ଅତିଥି

ଦେବଗଡ଼,ଏନ୍ଏ‌ନ୍ଏ‌ସ୍‌: ଏକ କୌତୁକ ପୂର୍ଣ୍ଣ ଘଟଣାକ୍ରମରେ ଶୁକ୍ରବାର ରିଆମାଳ ବ୍ଲକ ନୂଆଢିହି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗତା ଗ୍ରାମରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଉଦଘାଟନ ନେଇ ଅଭାବନୀୟ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ରେଙ୍ଗତା ଗ୍ରାମରେ ୫ଟି ଅଧୀନରେ ଏକ ବିଦ୍ୟାଳୟ କୋଠା ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିନଥିଲା।

ଏହି ନୂତନ ସ୍କୁଲକୁ କାର୍ଯ୍ୟକାରୀ କରିବାକୁ ଗ୍ରାମସଭା ନିଷ୍ପତି ଅନୁଯାୟୀ ଜିଲ୍ଲାପ୍ରଶାସନ ସହ ଆଲୋଚନା କରି ଦିନ ଧାର୍ଯ୍ୟ କରିଥିଲେ। ଯୋଜନା ଅନୁଯାୟୀ ସ୍କୁଲ ପରିଚାଳନା କମିଟି ପକ୍ଷରୁ ମହା ଆଡମ୍ବରରେ ସ୍କୁଲ ଉଦ୍ଘା‌ଟନ ପାଇଁ ଜିଲ୍ଲାପାଳଙ୍କ ଠାରୁ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ନିମନ୍ତ୍ରିଣ କରି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ଏପରିକି ସ୍କୁଲ କାନ୍ଥରେ ନିମନ୍ତ୍ରିତ ଅତିଥିଙ୍କ ନାମ ଫଳକ ମଧ୍ୟ ଲଗାଯାଇ ପୂର୍ବାହ୍ନରେ ଉଦଘାଟନ ପାଇଁ ସମୟ ନିର୍ଦ୍ଧାରିତ କରିଥିଲେ। ତେବେ ସ୍କୁଲ ଉଦଘାଟନ ପାଇଁ କୌଣସି ନିମନ୍ତ୍ରିତ ଅତିଥି ପହଞ୍ଚି ନଥିଲେ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଉଦଘାଟନ ଆୟୋଜନକୁ ବାତିଲ ନକରି କୌଣସି ମତେ ଉଦଘାଟନ ପାଇଁ ଗ୍ରାମବାସୀ ନିଷ୍ପତି ନେଇଥିଲେ।

ପୂର୍ବ ଯୋଜନା ଅନୁଯାୟୀ ଅତିଥିଙ୍କୁ ପରିବର୍ତ୍ତନ କରି ମୁଖ୍ୟ ଅତିଥି ଭାବେ ଦେବଗଡ଼ ପୌର ଉପନଗରପାଳ ପ୍ରଜିତ କୁମାର ଭୋଜ, ତିଳେଇବଣି ବ୍ଲକ୍‌ ଅଧ୍ୟକ୍ଷ ବୃନ୍ଦାବତୀ ଭୋଇ, ନୂଆଡ଼ିହ ସରପଞ୍ଚ ଓ ସମିତି ସଦସ୍ୟାଙ୍କୁ ଏକ ଶୋଭାଯାତ୍ରାରେ ସ୍କୁଲ ପରିସରକୁ ପାଛୋଟି ଆଣି ସେମାନଙ୍କ ହାତରେ ଫିତା କଟାଇବା ସହ ପୂର୍ବରୁ ଲଗାଯାଇଥିବା ଅନୁପସ୍ଥିତ ଅତିଥିଙ୍କ ନାମ ଫଳକକୁ ଉନ୍ମୋଚିତ କରିଥିଲେ। ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମରେ ସାମିଲ ନହେବା ସମ୍ପର୍କରେ ଆୟୋଜକଙ୍କୁ କୌଣସି ସୂଚନା ଦିଆନଯିବା ଗ୍ରାମବାସୀଙ୍କୁ ଯେତେ ବ୍ୟଥିତ କରିଛି ତାଠୁ ଅଧିକ ଖୋଦ ବିଧାୟକ ମଧ୍ୟ ଶେଷ ମୁହୂର୍ତ ଯାଏଁ ଆୟୋଜକଙ୍କ ଫୋନ ନଉଠାଇବା ତା’ଠୁ ଅଧିକ କଷ୍ଟ ଦେଇଥିବା ସ୍କୁଲ ପରିଚାଳନା କମିଟି କହିଛି।