ଆଦର୍ଶ ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ତିଲେଇବଣି ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ମାଡ଼ ଘଟଣାକୁ ନେଇ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁ ଓ ଦେବଗଡ଼ ଥାନା ପୁଲିସ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ତଦନ୍ତ ସମୟରେ ବିଦ୍ୟାଳୟର ଶିକ୍ଷକମାନେ ଘଟଣା ସମ୍ପର୍କରେ କିଛି ଜାଣି ନଥିବା ପ୍ରକାଶ କରିଥିଲେ । ଅନ୍ୟପଟେ ସମ୍ପୃକ୍ତ ଶିକ୍ଷୟତ୍ରୀ ନିଜ ଦୋଷ ସ୍ୱୀକାର କରିବା ସହ ଏହାର ପୁନରାବୃତ୍ତି ହେବନି ବୋଲି ତଦନ୍ତ ଅଧିକାରୀଙ୍କଠାରେ ପ୍ରକାଶ କରିଥିଲେ । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ ପରେ ପରବର୍ତ୍ତୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।