ଜଣେ ଡେଙ୍ଗା ଚିତ୍ରକରର କାହାଣୀ ‘ଯତୀନ ଦାସ’

ଜନ୍ମ-ଡିସେମ୍ବର ୨ ତାରିଖ ୧୯୪୧ ମସିହା
ଜନ୍ମସ୍ଥାନ-ବାରିପଦା,ମୟୂରଭଞ୍ଜ. ଓଡ଼ିଶା
ବର୍ତ୍ତମାନ ଠିକଣା-
ପୁରସ୍କାର ଓ ସମ୍ବର୍ଦ୍ଧନା-
ପଦ୍ମ ଭୂଷଣ(୨୦୧୨)
ଉତ୍କଳ ପୁରସ୍କାର(୨୦୦୬)
ଇଟାଲିଆନ୍ ପ୍ରେସିଡ଼େଣ୍ଟ ଆୱାର୍ଡ଼(୨୦୦୭)
ଭାରତ ନିର୍ମାଣ ପୁରସ୍କାର(୨୦୦୭)
ଯତୀନଙ୍କ ବାଲ୍ୟକାଳ ଓ ଜୀବନର ଅୟମାରମ୍ଭ-
ଯତୀନ ଦାସ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୧୯୪୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ମଧ୍ୟବିତ୍ତ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ସଙ୍ଗୀତ ପ୍ରତି ଏତେ ଆକୃଷ୍ଟ ଥିଲେ ଯେ ଭବିଷ୍ୟତ ଜୀବନ କଳା ଭିତରେ ବାନ୍ଧିହେବା ପାଇଁ ତାହା ଉତ୍ପ୍ରେରକ ଭଳି କାମ କରିଥିଲା । ପରିବାରର ଲକ୍ଷ୍ୟ ଭିନ୍ନ ଥିଲେ ବି ସେ ଚିତ୍ରକଳାରେ କ୍ୟାରିୟର କରିବାକୁ ବମ୍ବେ ପଳାଇଯାଇଥିଲେ । ସେ ବମ୍ବେରେ ୧୯୫୭ରୁ ୧୯୬୨ ପର୍ଯ୍ୟନ୍ତ ପ୍ରଫେସର ଏସ.ବି. ପାଲସିକାରଙ୍କ ନିକଟରେ ଚିତ୍ରକଳାର ପ୍ରସିଦ୍ଧକ୍ଷେତ୍ର ସାର୍ ଜେ.ଜେ.ସ୍କୁଲ୍ ଅଫ୍ ଆର୍ଟରେ ଚିତ୍ରକଳା ଶିଖିଥିଲେ ।

ସେ ୧୯୬୨ ମସିହାରେ ଜେ.ଜେ.ସ୍କୁଲ ଅଫ୍ ଆର୍ଟରେ ନିଜ ପ୍ରଚେଷ୍ଟାରେ ଏକ ଆର୍ଟ ଗ୍ୟାଲେରୀ ଖୋଲିଥିଲେ । ଏହି ପ୍ରଦର୍ଶନ ମନରେ ଏକ ଦୃଢ଼ ବିଶ୍ୱାସ ଜନ୍ମାଇଥିଲା ଯେ ,ସେ ବହୁତ ଆଗକୁ ଯାଇପାରିବେ । ତା ପରେ ସେ ପଛକୁ ଚାହିଁ ଫେରିବାର ଅବକାଶ ମିଳିନାହିଁ । ନିଜର ଚିତ୍ରକଳା ପାଇଁ ସାରା ପୃଥିବୀରେ ଏକ ସ୍ଥାନ ସଂରକ୍ଷଣ କରିପାରିଥିଲେ । ସେ ନିଜ ପ୍ରଚେଷ୍ଟାରେ ୬୮ରୁ ଅଧିକ ଏକକ ପ୍ରଦର୍ଶନ ବିଶ୍ୱର ବିଭିନ୍ନ ସ୍ଥାନରେ କରିପାରିଛନ୍ତି । ସେ ଗ୍ରାଫିକ୍ସ ଓ କୋଣ୍ଟେ ଡ଼୍ରଇଁରେ ମଧ୍ୟ ବିଶ୍ୱବିଖ୍ୟାତ ଆର୍ଟିଷ୍ଟ ଭାବରେ ନିଜର ସୁନାମ ଆଣିବା ସହ ଭାରତ, ଜର୍ମାନ,ୟୁକେ ଆଦିଦେଶରେ ନିଜର ପରାକାଷ୍ଠା ଦେଖାଇ ପାରିଛନ୍ତି । ଏହା ମଧ୍ୟ ବିଶ୍ୱର ବଡ଼ ବଡ଼ ପ୍ରଦର୍ଶନୀରେ କଳାକୁ ଭଲ ପାଇବାର ସ୍ୱରୂପ ଅକ୍ସନରେ କିଣିନେଇଛନ୍ତି ବିଖ୍ୟାତ ଲୋକମାନେ । ସେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ଉପଦେଷ୍ଟା ଭାବେ କାମ କରିଛନ୍ତି । ଦେଶବିଦେଶର ବିଭିନ୍ନ ଆର୍ଟ ଓ କଲଚର କାର୍ଯ୍ୟକ୍ରମରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଦିଲ୍ଲୀର ପୋଏଟ୍ରି ସୋସାଇଟର ଜଣେ ପ୍ରତିଷ୍ଠାତା ସଦସ୍ୟ । ସେ ନିଜେ ମଧ୍ୟ ଜେ.ଡି. ସେଣ୍ଟର ଅଫ୍ ଆର୍ଟ ପ୍ରତିଷ୍ଠା କରି ପାରମ୍ପରିକ ଓ ସମକାଳୀନ ଚିତ୍ରକଳା ଓ ପ୍ଲାଷ୍ଟିକ୍ ଆର୍ଟର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଛନ୍ତି । ସେ ମଧ୍ୟ ବିଶ୍ୱରେ ପଙ୍ଖା(ବିଞ୍ଚଣା) ସଂଗ୍ରହ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ସେ ବିଭିନ୍ନ ଦେଶରୁ ୫ ହଜାରରୁ ଊଦ୍ଧ୍ୱର୍ ହାତ ତିଆରି ପଙ୍ଖା ସଂଗ୍ରହ କରିଛନ୍ତି । ଏହା ଏବେ ଇନ୍ଦିରା ଗାନ୍ଧୀ ନେସନାଲ୍ ସେଣ୍ଟର ଫର କ୍ରାଫ୍ଟରେ ପ୍ରଦର୍ଶିତ ହେବା ପାଇଁ ସଂରକ୍ଷିତ କରାଯାଇଛି । ସେ ଭିଜିଟିଂ ଫ୍ରଫେସର ଭାବେ ଜାମିଆ ମିଲ୍ଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକରିବା ସହ ନେସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଓ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ ଆଣ୍ଡ ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ରେ ଶିକ୍ଷାଦାନ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ପଥ ପଦର୍ଶକ ହୋଇପାରିଛନ୍ତି । ତାଙ୍କର ମଧ୍ୟ ଦ ଆର୍ଟ ଅଫ୍ ଯତୀନ ଦାସ,ପୋଏମ୍ସ ବାଏ ଯତୀନ ଦାସ ଦୁଇଟି ବହି ପ୍ରକାଶିତ ହୋଇଛି । ଓଡ଼ିଶା ଐତିହ୍ୟ, ପରମ୍ପରା ଓ ସଂସ୍କୃତିରେ ଜଡ଼ିତ ରହିବା ସହ ଭୁବନେଶ୍ୱରରେ ୧୯୯୭ରେ ପ୍ରତିଷ୍ଠା କରିଛନ୍ତି ଜେ.ଡି ସେଣ୍ଟର ଫର ଆର୍ଟ । ସେ ସାମାଜିକ କାମରେ ମଧ୍ୟ ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି । ଓଡ଼ିଶାରେ ୧୯୯୯ ମସିହାର ସଂଘଟିତ ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କ ପାଇଁ ତାଙ୍କର ଅବଦାନ ଅନେକ ରହିଛି । ସେ ବିଭିନ୍ନ ଅଞ୍ଚଳର ଲୋକଙ୍କୁ ରିଲିଫ୍ ସହିତ ସହାୟତାର ହାତ ବଢ଼ାଇବା ସହିତ କେତେକ ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଅନେକ ଶ୍ରମ ଓ ସେବା ପ୍ରଦାନ କରିଛନ୍ତି ।

ଯତୀନ ଦାସ । ଓଡ଼ିଶାର ଅନ୍ୟ ଜଣେ ବରପୁତ୍ର । ଓଡ଼ିଶା ନୁହେଁ କି ଭାରତ ନୁହେଁ ସାରା ବିଶ୍ୱରେ ନିଜର ପରାକାଷ୍ଠା ଦେଖାଇ ପାରିଛନ୍ତି । ଚିତ୍ରଚୌହଦିରେ ନିଜ ଛାଇର ଚିତ୍ର ଆଙ୍କିବାବେଳେ ପବନ ବି ସେଇ ଛାଇର ନାମକରଣ କରିଦେଇପାରେ । ଯତୀନ ଦାସ ନାମକ ଜଣେ ବିଖ୍ୟାତ ଚିତ୍ରକରର ଚିତ୍ର କେହିଜଣେ ଅଦୃଶ୍ୟ ହାତର ତୂଳୀ ଧରି ହୃଦୟ କାନ୍ଥରେ ଆଙ୍କିଦେଇ ସାଇତି ରଖିପାରେ ଲକ୍ଷେ ବର୍ଷ ଯାଏ । ରାସାୟନିକ ରଙ୍ଗରେ ନିଜ ଜୀବନର ରଙ୍ଗକୁ ମିଶେଇ ଯେଉଁ ସ୍ମୃତିର ସବଡ଼ିଭିଜନରେ ମାର୍ଫତଦାର ହେଲେ ସେଇ ତ ତାଙ୍କ ଜୀବନର ପାରିବାପଣିଆ । ଯେତେ ଶହ ଫୁଟର ଷ୍ଟାଚ୍ୟୁ ଅଫ୍ ଆର୍ଟିଷ୍ଟ ନିର୍ମାଣ କଲେ ବି ତାହା ଯତୀନ ଦାସଙ୍କ ବ୍ୟକ୍ତିତ୍ୱ ନିକଟରେ କମ୍ ପଡ଼ିବ । ସେ ଚିତ୍ର ହେଉ କି ଚରିତ୍ର କଳା ଜୀବନର ମାୟାରେ ମିରାକଲ୍ । ସେ କଳା ଓ କାରିଗରୀର ଗହୀରମଥାରେ ନିର୍ମାୟା ପବନର କାନି ଧରି ଚିତ୍ର ଆଙ୍କୁ ଆଙ୍କୁ ମଣିଷ କି ମହାପୁରୁଷର ଛାଇରେ ବାଟ ଚାଲନ୍ତି ନାହିଁ । ନିଜ ପାଇଁ ନିଜେ ତିଆରି କରିଥିବା ଛାୟାପଥ ହିଁ ନିଜର ଗନ୍ତବ୍ୟ । ସେ ପ୍ରତିଷ୍ଠାର ଯେଉଁ ସ୍ତରରେ ପହଞ୍ଚିଲେ ବି ନିଜକୁ ଓଡ଼ିଆ ବୋଲି ଗର୍ବ କରିବାରେ ମନରେ ନାହିଁ ଟିକେ ହେଲେ ବି ଦ୍ୱିଧାବୋଧ । ସମୟ ଇତିହାସର ଆଉ ଏକ ନୂତନପ୍ରସ୍ତର ଯୁଗ କରି କାନ୍ଥରେ ଆଙ୍କିଦେଇଯିବ ଏହି ମହାନୁଭବ ଚିତ୍ରକରଙ୍କ ଚିତ୍ର । ସେହି ଚିତ୍ରକରଙ୍କୁ ଆମ ବ୍ୟକ୍ତିତ୍ୱ ପୃଷ୍ଠାରେ ସ୍ଥାନିତ କରିବାର ଛୋଟ ପ୍ରୟାସଟିଏ ମାତ୍ର ।

୧-ବିଶ୍ୱସ୍ତରର ମାନ୍ୟତା ପାଇଥିବା ଜଣେ ଚିତ୍ରକର ପାଇଁ ଆଞ୍ଚଳିକ ପ୍ରୀତି ରହିବାର ଆବଶ୍ୟକତା ଥାଇପାରେ କି ?
ଉ-ସବୁକଥାରେ ବିଶ୍ୱ ଲଗାଇବାର ଅର୍ଥ କିଛି ଥାଇ ନପାରେ । ଓଡ଼ିଶା ବିଶେଷକରି ଭାରତରେ ଏହି ଭାବନା ଖୁବ୍ ଅଧିକ । ପ୍ରଥମେ ନିଜ ମାଟି, ରାଜ୍ୟ କି ଦେଶର କଥା ଭାବିବା ଦରକାର । ଯଦି ନିଜ ମାଟିର ସୁଯୋଗ୍ୟତା ଦାୟାଦ ହିସାବରେ ସଂଗ୍ରହ କରିପାରିଲା, ତାହା କଣ ବିଶ୍ୱ ମାନଚିତ୍ରରେ ସ୍ଥାନିତ ହୋଇପାରିବ ନାହିଁ । ନିଜର କର୍ମ ହିଁ ବିଶ୍ୱ ଦେଖାଇପାରେ, ତା ବ୍ୟତିରେକେ ନିଜର ଦୁନିଆ ଛାଡ଼ି ବିଶ୍ୱରେ ପହଞ୍ଚିବାର କିଛି ଆବଶ୍ୟକତା ରହିଛି କି ?

୨-ଆଧୁନିକ ଚିତ୍ରକଳାର ଆପଣ ଆଦର୍ଶ ନୁହନ୍ତି ବରଂ ଏକ ଅଧ୍ୟାୟ, ଏହାର ପକ୍ଷପାତିତାକୁ ନେଇ କଣ ରହିବ ଆପଣଙ୍କ ମତ ?
ଉ-ଆଦର୍ଶ କି ଅଧ୍ୟାୟ ଏହାର ଆକଳନ କେବେ କରିବାକୁ ସମୟ ପାଇନାହିଁ । କାମ କରି ଚାଲିଛି, ବାସ୍ ସେତିକି ହିଁ ମୋ ଜୀବନର ଆୟୁଧ । ପାଇବା କି ହରେଇବାର ସମୀକରଣ ହିଁ ସମୟ କରିବ । ମୁଁ ମାଧ୍ୟମକୁ ନେଇ ଯେତିକି ମୋ କର୍ମରେ ବିଶ୍ୱାସ ରଖିଛି, ସେହି ମୋର ନୈତିକ ସାହସ । ଏହା ବ୍ୟତୀତ ଆଉ କିଛି କଥାକୁ ବିଶ୍ୱାସ ରଖେନାହିଁ ।

୩-ଅନେକ କୁହନ୍ତି ଓଡ଼ିଆମାନଙ୍କୁ ଆପଣ ଖୁବ୍ ରାଗନ୍ତି, ଏହାର ସତ୍ୟତା କଣ ଥାଇପାରେ ?
ଉ-ମୁଁ କେବେ କୌଣସି ସମୟରେ ଓଡ଼ିଆଙ୍କ ଉପରେ ରାଗିବାର କିଛି କାରଣ ନାହିଁ କିମ୍ବା କୌଣସି ପ୍ରମାଣ ବି ନାହିଁ । ଓଡ଼ିଶା ମୋର ଘର, ମୋର ଜୀବନଧାରା ଭିତରେ ଓଡ଼ିଆତ୍ୱର ଧାରା ପ୍ରବାହିତ । ମୁଁ ଓଡ଼ିଶାରେ କିଛି ହେଉ ବୋଲି ସ୍ୱପ୍ନ ଦେଖେ । ମୁଁ ଓଡ଼ିଆକୁ ମୋ ଜୀବନଧାରା ସହିତ ମିଶେଇ ରଖିଛି ବୋଲି ଓଡ଼ିଶାର କଳା,ସଂସ୍କୃତିର ଉନ୍ନତି ପାଇଁ ଜେ.ଡି ସେଣ୍ଟର ଫର ଆର୍ଟ ସ୍ଥାପନ କରିଛି । ଓଡ଼ିଶାର ମହାନ ସଂସ୍କୃତି କିଭଳି ବିଶ୍ୱରେ ବିଦିତ ହେବ ସେଥିପାଇଁ ପ୍ରୟାସ ଜାରି ରଖିଛି । ବିଶ୍ୱର ବିଭିନ୍ନ ଦେଶ ବୁଲିଛି, ଦେଖିଛି ଜାଭା,ମାଳୟ,ବାର୍ଲି ଭଳି ଦେଶରେ ଓଡ଼ିଆ କଳା,ସଂସ୍କୃତି ବଞ୍ଚି ରହିଛି । ମୋର ରାଗିବାର କାରଣ ଏହା ଯେ , ଆମେ ଆମର ନିଜସ୍ୱତାକୁ ଭୁଲି ଅନୁକରଣ କରିବାର ମାନେ କିଛି ନାହିଁ । ଓଡ଼ିଶାର ସୀମାପାର ହେଲେ ଜଣେ ଓଡ଼ିଆଙ୍କ ସହ ଦେଖାହେଲେ ବି ହିନ୍ଦୀ, ଇଂରାଜୀରେ କଥା ହେବା କିମ୍ବା ନିଜକୁ ଓଡ଼ିଆ ବୋଲି ପରିଚୟ ନଦେବା ବଡ଼ ଦୁଃଖ ଓ ଲଜ୍ୟାଜନକ କଥା । ମୁଁ ସେହିମାନଙ୍କୁ ରାଗେ ଯେଉଁମାନେ କଥା ରଖନ୍ତି ନାହିଁ, ମିଛ କୁହନ୍ତି,ଯିଏ ଅନ୍ୟ ନାଁରେ ଏଠିସେଠି ଗପେ । ମୁଁ ଷାଠିଏ ବର୍ଷ ହେଲା ବାହାରେ ଅଛି, କେବେ କହିନାହିଁ ମୁଁ ଓଡ଼ିଆ ଭୁଲିଯାଇଛି,ଲେଖିପାରୁନି, କହିପାରୁନି ଆଦି ବାହାନା କରେ ନାହିଁ । ଯେଉଁମାନେ ଛଅମାସ ବାହାରେ ରୁହନ୍ତି,ହିନ୍ଦୀ କି ଇଂରାଜୀରେ କଥା ହୁଅନ୍ତି । ସେହିମାନଙ୍କୁ ହିଁ ପ୍ରକୃତରେ ରାଗେ ଯେଉଁମାନେ ନିଜର ଭାଷା,ଖାଦ୍ୟ,ସଂସ୍କୃତି ପ୍ରତି ତୁଚ୍ଛ ଭାବନା ଥାଏ । ମୁଁ ମୋ ଜାତି, ମାଟି ପାଇଁ ଗର୍ବ କରିପାରିବିନି କାହିଁକି ? ଅନେକ ଓଡ଼ିଆ ନିଜକୁ ଓଡ଼ିଆ ବୋଲି ପରିଚୟ ଦିଅନ୍ତି ନାହିଁ,ସେମାନଙ୍କ ଉପରେ ମୁଁ ରାଗେ ।

୪-ଆପଣଙ୍କ ଦୃଷ୍ଟିରେ ଗାଁକୁ କେଉଁ ଦୃଷ୍ଟିରେ ଦେଖନ୍ତି ?
ଉ-ଗାଁର ପରିବେଶ ଆମମାନଙ୍କର ମାନସିକତାର ନଷ୍ଟ ହୋଇସାରିଲାଣି । ସମୟଥିଲା ଗାଁରେ ସ୍ୱତନ୍ତ୍ରଭାବେ ଜୀବନଶୈଳୀ ଥିଲା । ବାଡ଼ିଘରରେ ପନିପରିବା ଚାଷ ହେଉଥିଲା, ଯୌଥ ପରିବାର ସହ ପରସ୍ପର ଭିତରେ ଏକ ମମତ୍ୱବୋଧ ଥିଲା । ପର୍ବପର୍ବାଣୀରେ ପିଠାପଣାରେ ଘର ମହକି ଉଠୁଥିଲା । ଶୀତଦିନେ କି ଖରାଦିନେ ପ୍ରସ୍ତୁତ ହୋଇ ରହୁଥିବା ବଡ଼ି ଭଳି ଶୁଖିଲା ଦ୍ରବ୍ୟ ବର୍ଷାଦିନକୁ ସାଇତା ହୋଇରହୁଥିଲା । ମୋର ମନେ ଅଛି ଆମବାଡ଼ିରେ କେମିତି ପନିପରିବା ଚାଷ ହେଉଥିଲା, ପୂଜାବେଳେ ବାଡ଼ିରୁ କଦଳୀଗଛ କଟାହୋଇ ପୂଜା ମଣ୍ଡପରେ ଲାଗୁଥିଲା । ଏବେ କିନ୍ତୁ ବଦଳିଯାଇଛି ଏହି ମାନସିକତା । କାହା ଭିତରେ ସେଭଳି ସୌହାର୍ଦ୍ଦ୍ୟ ଥିଲା ଭଳି ଲାଗୁନାହିଁ । ଅନ୍ୟର ସଂସ୍କୃତି ପରମ୍ପରାକୁ ଉଧାର ଆଣି ବଞ୍ଚିବାର ପ୍ରୟାସ କରାଗଲା ଭଳି ଲାଗୁଛି । ଆମ ରାଜ୍ୟରେ ୫୪ଟି ଅଞ୍ଚଳରେ ରାଜତ୍ୱ ଥିଲା । ସେତେବେଳେ ସେମାନେ ୧୦ମାଇଲ କି କୋଡ଼ିଏ ମାଇଲ ରାସ୍ତାରେ ଆମ୍ବ ସହ ବିଭିନ୍ନ ଫଳଗଛ ଲଗାଇଥିଲେ । ତାହାର କାରଣ ଥିଲା ରାସ୍ତାରେ ଗଲାବେଳେ ବାଟୋଇ ଛାଇ ପାଇବା ସହ ଭୋକିଲା ଲୋକ ମଧ୍ୟ ଫଳ ଆହାର କରି ନିଜର ଭୋକ ମେଣ୍ଟାଇ ପାରିବ । ଏହିଭଳି ତତ୍ତ୍ୱକୁ ନେଇ ବଞ୍ଚିଥିବା ସମାଜ ଆଜି ପଞ୍ଜାବୀ କି ପଶ୍ଚିମ ସଂସ୍କୃତିକୁ ନେଇ ବଞ୍ଚିବାକୁ ଚାହୁଁଛି । ଏହାଠାରୁ ବଡ଼ ଦୁର୍ଭାଗ୍ୟଜନକ କଥା କଣ ଥାଇପାରେ ।

୫-କବି,ଚିତ୍ରକର କିମ୍ବା କଳାକାର ସମାଜର ଭୂମିକା କିଭଳି ଭାବେ ତୁଲାଇଥାଏ ?
ଉ-ସାମାଜିକ ସଂରଚନା ବିଭିନ୍ନ ପ୍ରକାର ଭଙ୍ଗାଗଢ଼ା କି ଆଧୁନିକୀକରଣକୁ ନେଇ ହୋଇ ନଥାଏ । ରାସ୍ତାଘାଟରୁ ଆରମ୍ଭ କରି ପୁଣି ଉଡ଼ାଜାହାଜ କି ମହାକାଶଯାନ ତିଆରି କରିବା ପର୍ଯ୍ୟନ୍ତ ସବୁରି ମୂଳରେ ସୃଜନଶୀଳତା ଦରକାର । ଯେଉଁ ସୃଜନଶୀଳତା ବିଭିନ୍ନ ରୂପରେ ପ୍ରତୀୟମାନ ହୋଇପାରେ । ଏହି ସୃଜନଶୀଳତାର ଧାରକ କବି, କଳାକାର କି ଚିତ୍ରକର ବି ହୋଇପାରନ୍ତି । ସୃଜନଶୀଳତାରେ ଥିବା ସୌନ୍ଦର୍ଯ୍ୟବୋଧ ହିଁ ସବୁପ୍ରକାର ଗବେଷଣା କି ଉଦ୍ଭାବନ ପଛରେ ରହିଛି । ଯିଏ ଯେଉଁପ୍ରକାର କାର୍ଯ୍ୟକରୁଛି ତାହା ପଛରେ କଣ ସୃଜନଶୀଳତା ନାହିଁ କି ?

୬-ଚିତ୍ରକଳାକୁ ଓଡ଼ିଶାରେ ଆଜିଦିନ ଯାଏ ଗୁରୁତ୍ୱ ଦିଆଯାଉଛି କି , ଆପଣ ଜଣେ ବିଖ୍ୟାତ ଆର୍ଟିଷ୍ଟ ହିସାବରେ ଆପଣଙ୍କୁ କେହି ପଚାରିଛନ୍ତି?
ଉ-ଚିତ୍ରକଳାକୁ ଆଜିଦିନ ଯାଏ ବି ଗୁରୁତ୍ୱ ଦିଆଯାଇପାରିନାହିଁ । ଓଡ଼ିଶାରେ ଲୋକଙ୍କ ମାନସିକତା ଅନୁକରଣରେ ରହିଥିବାବେଳେ ନିଜ ପରିଚୟ,ପୂର୍ବପୁରୁଷକୁ ଜାଣିବାର ଆଗ୍ରହ ପ୍ରକାଶ କରିନାହିଁ । ଆମ ଓଡ଼ିଶାରେ ଏମିତି ସ୍ଥାନ କି ଏମିତି ଲୋକ ଅଛନ୍ତି ଯେ ଯାହା ଆମେ ବି ଜାଣିନାହାନ୍ତି । କିନ୍ତୁ ଚା ଦୋକାନ କି ଜଳଖିଆ ଦୋକାନ ଖଟିରେ ଲଣ୍ଡନ, ଜାପାନ କଥା ହେଉଛେ । ଓଡ଼ିଶାର ପରମ୍ପରା କେତେ ମହାନ, ଏହାର ଐତିହ୍ୟ କେତେ ଗରୀୟାନ୍ ତାହା ଜାଣିବାର ଅବକାଶ ନରଖି ଯଦି ବାସ୍ତବତା ନଥିବା କଥା ପ୍ରତି ଆଲୋଚନା କରିବା ଲାଭ କଣ ମିଳିବ ? ଖାଲି ଚିତ୍ରକଳା ନୁହେଁ ଆମେ ଆମର ପରିଚୟ ସୃଷ୍ଟି କରିଥିବା କୌଣସି କଥାକୁ ବି ଗୁରୁତ୍ୱ ଦେଇପାରିନାହାନ୍ତି । ମୋ କଥା ଛାଡ଼ନ୍ତୁ,ଓଡ଼ିଶାର ଜଣେ ଚିତ୍ରକର ମୁରଲୀଧର ଟାଲି କୋଲକାତା ସରକାରୀ ଆର୍ଟ କଲେଜର ଗୋଲ୍ଡ ମେଡ଼ାଲିଷ୍ଟ ଓ ବିଖ୍ୟାତ ଆର୍ଟିଷ୍ଟ, ହେଲେ ଓଡ଼ିଶାର ଜଣେ କେହି ଲୋକ ତାଙ୍କୁ ଜାଣିଛନ୍ତି ? ଆଜିଦିନ ପର୍ଯ୍ୟନ୍ତ ଚିତ୍ରକଳାକୁ ଗୁରୁତ୍ୱ ଦିଆଯାଇପାରିନାହିଁ ।

୭-ଆଧୁନିକ ଚିତ୍ରକଳାର ଭାବ ଭିତରେ ଶବ୍ଦର ନିରବତା କାହିଁକି ଅନେକଙ୍କୁ ଅବୁଝା କରି ରଖିଥାଏ, ଚିତ୍ର ବା ଚିତ୍ରକରଙ୍କୁ ବୁଝିବାକୁ ସାଧାରଣମଣିଷକୁ କାହିଁକି କଷ୍ଟ ହୁଏ ?
ଉ-ସବୁବେଳେ ଯେକୌଣସି ଜିନିଷର ଅନ୍ତର୍ନିହିତ କଳାକୁ ବୁଝିବା ଦରକାର । ଚିତ୍ରକଳା କଥା ଛାଡ଼ିଦିଅନ୍ତୁ ସାଧାରଣ ଜୀବନରେ ଯେଉଁ ବିଷୟରେ ଭିତରକୁ ନପଶିଛ, ତାହା ବୁଝିବା,ବୁଝେଇବା କିମ୍ବା ସମାଧାନ କରିବା ସହଜ ହୋଇ ନଥାଏ । ଆମେ ଦୈନନ୍ଦିନ ଜୀବନରେ ସେସବୁକୁ ନିରନ୍ତର କରୁଥିବା କାରଣରୁ ଆମକୁ ତାହା ଏତେ କଷ୍ଟ ଜଣାପଡ଼ି ନଥାଏ । ଚିତ୍ରକଳା ପ୍ରତି ସାଧାରଣଲୋକଟିର ଆଗ୍ରହ ନଥିବାରୁ ବା ନିଜର ବୌଦ୍ଧିକତାକୁ ଏହି ଦିଗରେ ବ୍ୟବହାର କ୍ଷେତ୍ରରେ ଲଗାଇପାରୁ ନଥିବାରୁ ଚିତ୍ରକଳାର ସୁକ୍ଷ୍ମ ଅନୁଭବ ଓ ସୌନ୍ଦର୍ଯ୍ୟବୋଧକୁ ଜଣକୁ ବୁଝିବା କଷ୍ଟକର ହୋଇଥାଏ ।

୮-ଆପଣଙ୍କ ଚିତ୍ରରେ ନ୍ୟୁଡ଼ିଡ଼ିଟି(ଅଶ୍ଳୀଳତା)କୁ ଗୁରୁତ୍ୱ ଦେଉଛନ୍ତି କେହି କେହି ମତବ୍ୟକ୍ତ କରିଥାନ୍ତି, ଏ ସମ୍ପର୍କରେ କଣ କହିବେ?
ଉ-ଅଶ୍ଳୀଳତା ଅନେକଙ୍କର ଏକ ମାନସିକତା । ପ୍ରକୃତରେ ଜୀବନର ସୌନ୍ଦ୍ୟର୍ଯ୍ୟବୋଧ ଓ ଲାଳିତ୍ୟତା ବୁଝିବାକୁ ଯାହାକୁ ବ୍ୟାପକ ଅର୍ଥରେ ନିଆଯାଇପାରେ, ତାହା ଏକ ମାଧ୍ୟମ ହୋଇପାରେ । ପ୍ରକୃତିର ଆତଯାତ ଯେକୌଣସି ଜୀବକୁ ଆପଣ ପୋଷାକ, ଗହଣା କି ଆଉ କେଉଁ ଉପମାରେ ଢ଼ାଙ୍କି ମୂଳ ମୌଳିକତାରୁ ତାର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ କି ? ବରଂ ତାହା କିମ୍ଭୁତ କିମ୍ବାକାର ହୋଇଯିବା ସାର ହେବ । ଠିକ୍ ସେମିତି ଯେକୌଣସି ଚିତ୍ର ତାର ନ୍ୟାୟିକ ମୂଲ୍ୟ ପାଇବାକୁ ଖୋଲା ମନ ଓ ହୃଦୟ ଦରକାର ।
୯ -ଜୀବନରେ ଚିତ୍ର ଓ ଚରିତ୍ରକୁ ଫେଣ୍ଟି ନୂଆ ଅନୁଭବ ନେଇ ହେବ କି ?
ଉ-ଚିତ୍ର ଓ ଚରିତ୍ର ଭିନ୍ନ ନୁହନ୍ତି । ଉଭୟ ଉଭୟଙ୍କର ପ୍ରତିଫଳନ । ଅନୁଭବର ଅନ୍ତର୍ଦୃଷ୍ଟିରେ ଚିତ୍ରକରଟିଏ ହିଁ ବଞ୍ଚିରହିଥାଏ ।

୧୦ -ସଂସ୍କୃତି ଅବକ୍ଷୟର କାରଣ କଣ ରହିଛି ?
ଉ-ସଂସ୍କୃତିର ଅବକ୍ଷୟ ପାଇଁ ବେଶୀକରି ଶିକ୍ଷିତ ମାନେ ହିଁ ଦାୟୀ । ମୁଁ ଦେଖିଛି ବାହାରେ କାମଦାମ କରୁଥିବା ଲୋକମାନେ ପର୍ବପର୍ବାଣୀ ପଡ଼ିଲେ ଗାଁକୁ ଆସିଥାନ୍ତି । ଶିକ୍ଷିତମାନେ ସହର ଛାଡ଼ି ଗାଁକୁ କ୍ୱଚିତ୍ ଆସନ୍ତି । ପ୍ରକୃତରେ ଦେଖିବାକୁ ଗଲେ ସାଧାରଣଲୋକମାନେ ସବୁଯାକ ପର୍ବପର୍ବାଣୀକୁ ଧୁମ୍ଧାମ୍ରେ ପାଳନ କରନ୍ତି । ସଂସ୍କୃତି ଆମର ସୁମହାନ କୀର୍ତ୍ତି ଏହାକୁ ଭୁଲିଯିବା ଉଚିତ୍ ନୁହେଁ ।

୧୧-ଅତିମାନସ ସ୍ତରରକୁ ଚିତ୍ରକଳାରେ କେମିତି ଗ୍ରହଣ କରନ୍ତି ?
ଉ-ସୃଜନଶୀଳତା ହିଁ ଅତିମାନସ ସ୍ତରରୁ ଆରମ୍ଭ ହୁଏ । ସାଧାରଣର ଊଦ୍ଧ୍ୱର୍ରେ ଥିଲେ ବି ଅସାଧାରଣକୁ ଧାରଣ କରେ ।

୧୨-ଆପଣ ଓଡ଼ିଶା ପାଇଁ କଣ ସ୍ୱପ୍ନ ଦେଖିଛନ୍ତି ?
ଉ-ମୁଁ ଓଡ଼ିଶା ପାଇଁ ବହୁତ ସ୍ୱପ୍ନ ଦେଖିଛି । କିନ୍ତୁ ସେତିକି ସହଯୋଗର ହାତ କେହି ବଢ଼ାଇ ନାହାନ୍ତି । ମୁଁ ମଡ଼େଲ ସ୍କୁଲଟିଏ କରିବାକୁ ଚାହୁଁଛି,ଯେଉଁଥିରେ ଓଡ଼ିଶାର କଳା,ସଂସ୍କୃତି,ଐତିହ୍ୟ ସହିତ ଜନଜୀବନର ପେଣ୍ଟିଂ ରଖିବାକୁ ଚାହୁଁଛି ଫଳରେ ଓଡ଼ିଶାର ପୁରାତନ ସମୟର ପ୍ରତିଫଳନ ପରବର୍ତ୍ତୀ ପିଢ଼ି ଜାଣିପାରିବେ । ସ୍ୱାର୍ଥକୈନ୍ଦ୍ରିକ ସମସ୍ତେ ହୋଇଯାଇଥିବା କାରଣରୁ କାହାର ସହଯୋଗ ଠିକ୍ ଭାବରେ ରହିପାରୁନାହିଁ ।

୧୩- ଆପଣ ଓଡ଼ିଶାରେ ଜେ.ଡ଼ି.ସେଣ୍ଟର ଫର ଆର୍ଟ ନାମରେ ଯେଉଁ ସଂସ୍ଥା ପ୍ରତିଷ୍ଠା କରିଛନ୍ତି,ଏହାର ଲକ୍ଷ୍ୟ କଣ ରହିବ ?
ଉ-ମୁଁ ଏହି ସେଣ୍ଟର କରିବାର କାରଣ ଏହା ଚିତ୍ର ଓ ହସ୍ତଶିଳ୍ପର ଗ୍ୟାଲେରୀଟିଏ କରିବାକୁ ଚାହୁଁଛି । ଯାହା ଭବିଷ୍ୟତ ପାଇଁ ଏକ ଓଡ଼ିଶାର ବିଲୁପ୍ତ ଓ ସମସାମୟିକ କଳାର ନମୁନା ହୋଇରହିବ । ଏଥିରେ ୨୬ଟି ଗ୍ୟାଲେରୀ ରହିବ, ଯେଉଁଥିରେ କଣ୍ଢେଇ, ଚାନ୍ଦୁଆ,କଂସାପିତ୍ତଳ, ଚିତ୍ର, ମୁଖା, ପଙ୍ଖା,ହସ୍ତଶିଳ୍ପ ଆଦି ସ୍ଥାନ ପାଇବ । ମୁଁ ଦୀର୍ଘ ଷାଠିଏ ବର୍ଷ ଧରି ଦେଶବିଦେଶରୁ ଯାହା ସଂଗ୍ରହ କରିଛି, ତାହା ଏଠାରେ ସୁରକ୍ଷିତ ଭାବେ ରହିବ ।

୧୪-ଆପଣଙ୍କ କଳା, ସଂସ୍କୃତିକୁ ନେଇ ଦୁଃଖ କଣ ?
ଉ-ଓଡ଼ିଶାରେ ଆର୍ଟ ସେଣ୍ଟରଟିଏ କରିବାର ଲକ୍ଷ୍ୟ ମୋର ଅନେକ । ମୁଁ ଚାହିଁଥିଲେ ଦିଲ୍ଲୀରେ କରିପାରିଥାନ୍ତି । ସେଠାରେ ଅନେକ ସହଯୋଗ ମଧ୍ୟ କରିଥାନ୍ତେ । ଏଠାରେ କାହିଁକି କରିଛି ? ମୁଁ ଚାଳିଶ ବର୍ଷ ଧରି ସରକାରଙ୍କୁ ଚିଠି ଲେଖୁଛି ଓଡ଼ିଶାରେ ଗୋଟେ ପ୍ରିଣ୍ଟିଂ ମ୍ୟୁଜିୟମ ହେଉ ଓ ଏକ୍ଜିଭିସନ୍ କରାଯାଇ ଓଡ଼ିଆ ଯୁବ ଚିତ୍ରକରଙ୍କୁ ନେଇ ବହିଟିଏ ବାହାର କରାଯାଉ, ତାହା ଆଜିଯାଏ ସମ୍ଭବ ହୋଇପାରିଲା ନାହିଁ । ମୁଁ ଅନେକ ଲକ୍ଷ୍ୟ ରଖି ବହୁତ କାମ ହାତକୁ ନେଇ କରୁଛି, ଦେଖାଯାଉ କଣ ହେଉଛି।