ବିଶ୍ୱ ଫୁଟବଲରେ ଭାରତ ପ୍ରାଧାନ୍ୟ ବିସ୍ତାର କରିବ: ଗୋମ୍ବାଉ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବିଶ୍ୱ ଫୁଟବଲରେ ଭାରତ ଦିନେ ପ୍ରାଧାନ୍ୟ ବିସ୍ତାର କରିବ। ଏହା କହିଛନ୍ତି ଓଡ଼ିଶା ଫୁଟବଲ କ୍ଲବର କୋଚ ଯୋଶେଫ ଗୋମ୍ବାଉ। ଗତ କିଛିବର୍ଷ ମଧ୍ୟରେ ଭାରତୀୟ ଫୁଟବଲର ଯେପରି ଉନ୍ନତି ଘଟିଛି ସେଥିରେ ଏହି ଦେଶ ବିଶ୍ୱରେ ଏକ ଶକ୍ତିଭାବେ ବିବେଚିତ ହେବ ବୋଲି ଜୋର ଦେଇ କହିଛନ୍ତି ଏହି ସ୍ପାନୀଶ କୋଚ। ଇଣ୍ଡିଆନ ସୁପର ଲିଗ ଫୁଟବଲରେ ଓଡ଼ିଶା ଫୁଟବଲ କ୍ଲବ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ହୋମ ଗ୍ରାଉଣ୍ଡ କରିଛି। କୋଚ ଜୋମ୍ବାଉ ଏଠାରେ ଥିବା ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଖେଳ ପଡ଼ିଆକୁ ତଦାରଖ କରିବାକୁ ଆସିଛନ୍ତି। ଏହି ଅବସରରେ ସେ ନିତିଦିନକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ଭବିଷ୍ୟବାଣୀ କରିଛନ୍ତି।

ଯୋଶେଫ ଗୋମ୍ବାଉ
ପୂରା ନାମ: ଯୋଶେଫ ଗୋମ୍ବାଉ
ଜନ୍ମ ତାରିଖ: ଜୁନ ୫, ୧୯୭୬
ଜନ୍ମ ସ୍ଥାନ: ଅମ୍ପୋଷ୍ଟା, ସ୍ପେନ
କୋଚିଂ କ୍ୟାରିୟର
୧୯୯୯-୨୦୦୩: ସ୍ପେନ୍ ଯୁବ ଦଳ
୨୦୦୩-୨୦୦୯: ବାର୍ସିଲୋନା ଯୁବ ଦଳ
୨୦୦୯-୨୦୧୩: କିଚି, ହଂକଂ
୨୦୧୩-୨୦୧୫: ଆଡିଲେଡ ୟୁନାଇଟେଡ୍
୨୦୧୬-୧୭: ଅଷ୍ଟ୍ରେଲିଆ ଅଣ୍ଡର-୨୩
୨୦୧୬-୧୭: ଅଷ୍ଟ୍ରେଲିଆ ଆସିଷ୍ଟାଣ୍ଟ କୋଚ୍
୨୦୧୭-୧୮: ସିଡନୀ ୱାଣ୍ଣରର୍ସ
୨୦୧୮-୧୯: ଦିଲ୍ଲୀ ଡାଇନାମୋସ
୨୦୧୯—: ଓଡ଼ିଶା ଫୁଟବଲ୍ କ୍ଲବ୍

କୋଚ ଗୋମ୍ବାଉ
ସ୍ପେନର ଏକ ଫୁଟବଲ ଖେଳୁଥିବା ପରିବାରରେ ଯୋଶେଫ ଗୋମ୍ବାଉ ୧୯୭୬ ଜୁନ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ କୋଚିଂକୁ କ୍ୟାରିୟର କରିଥିବା ଏହି ଗୋଲକିପର ବର୍ତ୍ତମାନ ଓଡ଼ିଶା ଫୁଟବଲ କ୍ଲବର କୋଚ ଦାୟିତ୍ୱରେ ରହିଛନ୍ତି। ସ୍ପେନର ଖ୍ୟାତନାମା କ୍ଲବ ବାର୍ସିଲୋନାର ୟୁଥ ଟିମ ସହ ଏକାଧିକ ଏକାଡେମୀରେ କୋଚ ଭାବେ ସଫଳତାର ସହ କାମ କରିଛନ୍ତି। ୟୁରୋପୀୟ ଫୁଟବଲ କୋଚିଂରେ ଆଧୁନିକ କୋର୍ସ କରିଥିବା ୧୯୮୨ରୁ ୧୯୯୨ ପର୍ଯ୍ୟନ୍ତ ଆମ୍ପୋଷ୍ଟୋ ଟିମର ମ୍ୟାନେଜର ଭାବେ କାର୍ଯ୍ୟକରିଥିଲେ। ଏହା ତାଙ୍କ ପେସାଦାର କୋଚିଂ ଜୀବନର ଆରମ୍ଭ ହୋଇଥିଲାବେଳେ ୧୯୯୩ରୁ ୧୯୯୯ ଯାଏ ଏହି ଟିମର ସିନିୟର କୋଚ ରହିଥିଲେ। ୨୦୦୩ରୁ ୨୦୦୯ ଯାଏ ସେ ସ୍ପେନ ୟୁଥ ଟିମ ଓ ୨୦୦୯ରୁ ୨୦୧୩ ଯାଏ ବାର୍ସିଲୋନା ଟିମର କୋଚ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ। ଏହି ସମୟରେ ସେ ଅନେକ ପ୍ରତିଭାଧାରୀ ଖେଳାଳିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ବିଶ୍ୱରେ ପ୍ରତିଷ୍ଠା କରାଇବାରେ ସମର୍ଥ ହୋଇଥିଲେ।
ଏହାପରେ ସେ ପ୍ରଥମଥର ସ୍ପେନ ବାହାରେ କୋଚିଂ ଦେବାକୁ ମନୋନୀତ ହୋଇଥିଲେ। ୨୦୧୩ରୁ ୨୦୧୫ ଯାଏ ସେ ହଂକଂ କିଚି ଟିମର କୋଚ ରହିଥିଲେ। କିଚି ଟିମ ଏହି ସମୟରେ ବହୁ ସଫଳତାର ଅଧିକାରୀ ହୋଇଥିଲା। ୨୦୧୬-୧୭ରେ ଆଡିଲେଡ ୟୁନାଇଟେଡ ଏବଂ ଅଷ୍ଟ୍ରେଲିଆ ଅଣ୍ଡର ୨୩ ଟିମର କୋଚ ରହିଥିଲେ। ତାଙ୍କ ଅତ୍ୟାଧୁନିକ ପ୍ରଶିକ୍ଷଣ ସତ୍ତେ୍ୱ ଅଷ୍ଟ୍ରେଲିଆ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା। ଏହା ସତ୍ତେ୍ୱ ତାଙ୍କୁ ଅଷ୍ଟ୍ରେଲିଆ ସିନିୟର ଟିମର ସହକାରୀ କୋଚ ଭାବେ କାମ କରିବାର ସୁଯୋଗ ମିଳିଥିଲା। ୨୦୧୭-୧୮ରେ ଅଷ୍ଟ୍ରେଲିଆର ଆଉ ଏକ କ୍ଲବ ସିଡନୀ ୱାଣ୍ଡରର୍ସ ସହ କାମ କରିବା ପରେ ୨୦୧୮ରୁ ଇଣ୍ଡିଆନ ସୁପର ଲିଗ ଟିମ ଦିଲ୍ଲୀ ଡାଇନାମୋସର କୋଚ ଦାୟିତ୍ୱରେ ରହିଛନ୍ତି। ଚଳିତ ସିଜନରେ ଦିଲ୍ଲୀ ଡାଇନାମୋସର ନାମ ପରିବର୍ତ୍ତନ କରାଯାଇ ଓଡ଼ିଶା ଫୁଟବଲ କ୍ଲବ (ଓଏଫସି) ନାମରେ ନାମିତ ହୋଇଛି। ଏହା ସହ କ୍ଲବର ହୋମ ଗ୍ରାଉଣ୍ଡ ଦିଲ୍ଲୀରୁ ଆସି କଳିଙ୍ଗ ଷ୍ଟାଡିୟମରେ ପହଞ୍ôଚଛି। ଏବେ ଟିମ କାତାରର ଦୋହାଠାରେ ପ୍ରଶିକ୍ଷଣ ନେଉଛି। ଗୋମ୍ବାଉ ପୂର୍ବପରି କୋଚ ଭାବେ ଦାୟିତ୍ୱରେ ରହିଛନ୍ତି। ନଭେମ୍ବର ୨୪ରେ ଓଏଫସି କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଘରୋଇ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ସେ କଳିଙ୍ଗ ଷ୍ଟାଡିୟମ ଏବଂ ଭୁବନେଶ୍ୱରରେ ଥିବା ସୁବିଧା ସୁଯୋଗ ତଦାରଖ କରି କାତାର ଫେରିଯାଇଛନ୍ତି। ତାଙ୍କ ସହ ଓଏଫସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶିଷ ଶାହା ଏବଂ ସେଲସ ହେଡ ଅରୁଣ ରାଓ ମଧ୍ୟ ଏଠାକୁ ଆସି ସ୍ଥିତି ତଦାରଖ କରିଥିଲେ।

ଦିଲ୍ଲୀଠାରୁ ଭୁବନେଶ୍ୱର ଭଲ
ଓଡ଼ିଶା ଫୁଟବଲ କ୍ଲବ ହେବା ପୂର୍ବରୁ ଏହି ଟିମର ନାମ ଥିଲା ଦିଲ୍ଲୀ ଡାଇନାମୋସ। ଦିଲ୍ଲୀକୁ ଏହା ହୋମ ଗ୍ରାଉଣ୍ଡ କରିଥିଲା ଏବଂ ସେଠାରେ ଅଧା ମ୍ୟାଚ ଖେଳୁଥିଲା। କିନ୍ତୁ ସେଠାରେ ରହିବା, ଖାଇବା, ପ୍ରଦୂଷଣ ଏବଂ ଟ୍ରାଫିକ ସମସ୍ୟା ଗୁରୁତର ଥିଲା। ଭୁବନେଶ୍ୱରକୁ ଭେନ୍ୟୁ ବଦଳିଯିବା ପରେ ଏଥିରେ ସବୁକିଛି ପରିବର୍ତ୍ତନ ହୋଇଛି। ଏଠାରେ ପ୍ରଦୂଷଣ ମାତ୍ରା କମ ଏବଂ ଆମେ ୧୫ ମିନିଟରେ ଅଭ୍ୟାସ କିମ୍ବା ମ୍ୟାଚ ଲାଗି ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ପହଞ୍ôଚଯିବୁ। ଏଣୁ ଦିଲ୍ଲୀଠାରୁ ଭୁବନେଶ୍ୱର ସବୁଥିରେ ଭଲ। ଏବେ ପଡ଼ିଆ ମହିଳା ଅଣ୍ଡର ୧୭ ବିଶ୍ୱକପ ଫୁଟବଲ ଲାଗି ପ୍ରସ୍ତୁତି ହେଉଛି। ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ ହୋଇଯିବ ବୋଲି ଆଶା କରୁଛି। ଉଭୟ ପ୍ରାକ୍ଟିସ ଗ୍ରାଉଣ୍ଡ ଏବଂ ମେନ ପଡ଼ିଆ ୩ ସପ୍ତାହ ମଧ୍ୟରେ ଖେଳ ଉପଯୋଗୀ ହୋଇଯିବ। ଏହାବ୍ୟତୀତ ଷ୍ଟାଡିୟମରେ ଥିବା ଅତ୍ୟାଧୁନିକ ଟ୍ରେନିଂ ସେଣ୍ଟର ମଧ୍ୟ ଖେଳାଳିଙ୍କ କାମରେ ଲାଗିବ। ସବୁ ବିଭାଗରେ ଭୁବନେଶ୍ୱର ଭଲ ବୋଲି ଗୋମ୍ବାଉ କହନ୍ତି।

ଓଡ଼ିଶାରେ ହେବ ପ୍ରତିଭା ଚିହ୍ନଟ
ଓଡ଼ିଶା ଫୁଟବଲ କ୍ଲବ କେବଳ ବିଭିନ୍ନ ଦଳରୁ ଖେଳାଳିଙ୍କୁ ଆଣି ଖେଳାଇବ ନାହିଁ, ବରଂ ଏହା ତୃଣମୂଳ ସ୍ତରରୁ ଯୁବ ତଥା ଉଦୀୟମାନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଳରେ ସାମିଲ କରିବ। ଏଥିଲାଗି ଭୁବନେଶ୍ୱରରେ କ୍ଲବ ପକ୍ଷରୁ ଟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପର୍ଯ୍ୟାୟକ୍ରମେ ଏହା ରାଜ୍ୟର ସମସ୍ତ ଜିଲ୍ଲାରେ ଯାଇ ପ୍ରତିଭା ଚିହ୍ନଟ କରିବ। ଏହା ବ୍ୟତୀତ ସ୍କୁଲ, କଲେଜ ଏବଂ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ କରାଯିବ।

ଶୁଭମ, ଅଙ୍କିତ ଆକର୍ଷଣ ସାଜିବେ
ଗୋମ୍ବାଉଙ୍କ ମତରେ ଆମ କ୍ଲବ ଯୁବ ଖେଳାଳିଙ୍କ ଉପରେ ଗୁରୁତ୍ୱ ଦେଉଛି। ଫଳରେ ବିନୀତ ରାୟ, ଗୋଲକିପର ଅର୍ଶଦୀପ ସିଂ ଏବଂ ଶୁଭମ ଷଡଙ୍ଗୀଙ୍କ ପରି ଖେଳାଳିମାନେ ସିନିୟର ସ୍ତରରେ ଖେଳିବାକୁ ଦକ୍ଷ ହୋଇପାରିଛନ୍ତି। ଏମାନେ ସମସ୍ତେ କ୍ଲବରେ ଜୁନିୟର ଖେଳାଳି ଭାବେ ଯୋଗ ଦେଇଥିଲେ। ବିନୀତ ଏବେ ଭାରତୀୟ ଦଳରେ ଖେଳିବାକୁ ଯାଉଥିବାରୁ ଆମେ ବେଶ ଗର୍ବିତ। ଓଡ଼ିଆ ଖେଳାଳି ଶୁଭମ ଏବଂ ନୂଆକରି ସାମିଲ ହୋଇଥିବା ଅଙ୍କିତ ଭୂୟାଁ ମଧ୍ୟ ଦିନେ ଭାରତୀୟ ଦଳରେ ସାମିଲ ହେବେ। ଏମାନଙ୍କ ନିକଟରେ ପ୍ରତିଭା ରହିଛି ଏବଂ ଅଭିଜ୍ଞତା ହାସଲ କଲେ ସେମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବାରେ ସମର୍ଥ ହୋଇପାରିବେ। ଉଭୟ ସ୍ଥାନୀୟ ଖେଳାଳି ହୋଇଥିବାରୁ ଘରୋଇ ମ୍ୟାଚରେ ଏମାନେ ଆମର ଆକର୍ଷଣ ସାଜିବେ।

୭ ବିଦେଶୀ ଖେଳାଳି
ଚଳିତ ସିଜନରେ ଖେଳାଳି ଅଦଳବଦଳ ପରେ ଗୋମ୍ବାଉଙ୍କ ଓଏଫସିରେ ୭ଜଣ ବିଦେଶୀ ଖେଳାଳି ରହିଛନ୍ତି। ସେମାନଙ୍କ ମଧ୍ୟରେୁ ସ୍ପେନର ୫, ଆର୍ଜେଣ୍ଟିନାରୁ ମାର୍ଟିନ ପେରେଜ ଗୁଏଡେସ ଏବଂ ସେନେଗାଲର ମିଡଫିଲ୍ଡର ଡିଆଣ୍ଡୋଇ ଡିଆଗ୍ନେଙ୍କୁ ଦଳରେ ରଖାଯାଇଛି। ଅନ୍ୟ ସମସ୍ତ ଖେଳାଳି ସ୍ପେନର ହୋଇଥିଲାବେଳେ ମିଡଫିଲ୍ଡର ମାର୍କୋସ ଟେବାର ଅଧିନାୟକ ରହିଛନ୍ତି। ଡିଫେଣ୍ଡର କାର୍ଲୋସ ଡେଲଗାଡୋ, ଗୋଲକିପର ଫ୍ରାନସିସ୍କୋ ଡୋରନସୋରୋ, ସିସ୍କୋ ହର୍ଣ୍ଣଣ୍ଡେଜ ଏବଂ ତାରକା ଫରୱାର୍ଡ ଖେଳାଳି ଆରିଡାନେ ସାଣ୍ଟାନା ରହିଛନ୍ତି। ଅନ୍ୟ ସମସ୍ତ ଭାରତୀୟ ଖେଳାଳି ଦଳରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଡୋପ ଟେଷ୍ଟରେ ଧରାପଡ଼ି ବାସନ୍ଦ ହୋଇଥିବା ରାଣା ଘାରାମିଙ୍କୁ ମଧ୍ୟ ଦଳରେ ରଖାଯାଇଛି। ରାଣାଙ୍କ କ୍ଷେତ୍ରରେ ଯାହା ହେଲା ତାହା ଯେପରି ଆଉ କୌଣସି ଖେଳାଳିଙ୍କ କ୍ଷେତ୍ରରେ ନ ଘଟୁ ସେଥିପ୍ରତି ସମସ୍ତଙ୍କୁ ସଚେତନ କରାଯିବା ଲାଗି ଗୁରୁତ୍ୱ ଦେଉଛୁ ଏବଂ ଏହାର ପୁନରାବୃତ୍ତି ହେବ ନାହିଁ। ଖେଳାଳିମାନେ ଯେପରି ଭୁଲରେ ବାସନ୍ଦ କରାଯାଇଥିବା ଡ୍ରଗ୍ସ ସେବନ ନକରନ୍ତି, ସେଥିପ୍ରତି ଗୁରୁତ୍ୱ ଦିଆଯିବ।

ସମର୍ଥକଙ୍କ ବ୍ୟବହାରରେ ଅଭିଭୂତ
ଏଠାରେ ପୂର୍ବରୁ ଆମେ ଫୁଟବଲ ଖେଳିଛୁ। ସୁପର କପରେ ଜୋରଦାର ଲଢେଇ କରିଛୁ। କିନ୍ତୁ ଏ ସବୁ ଦିଲ୍ଲୀ ଡାଇନାମୋସ ନାମରେ ଖେଳା ଯାଇଥିଲା। ଏହି କ୍ଲବର ନାମ ଓଡ଼ିଶା ଫୁଟବଲ କ୍ଲବ ହେବା ପରେ କୋଚ ଭାବେ ମୁଁ ପ୍ରଥମଥର ଭୁବନେଶ୍ୱର ଆସିଥିଲି। ଏଠାରେ ସମର୍ଥକମାନେ ମୋତେ ଯେପରି ସମ୍ବର୍ଦ୍ଧନା ଦେଇଥିଲେ ତାହା ପୂର୍ବରୁ ମୁଁ କେବେ ପାଇନଥିଲା। ଏହା ମୋତେ ଖୁବ ପ୍ରଭାବିତ କରିଛି ଏବଂ ମୁଁ ଏହାକୁ ସବୁଦିନେ ମନେ ରଖିବି। ଏହା ସହ ସମର୍ଥକମାନଙ୍କୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାମୂଳକ ଖେଳ ଦେଖାଇବାର ପ୍ରତିଶ୍ରୁତି ଦେଇଥିଲେ।

ଭାରତ ପ୍ରାଧାନ୍ୟ ବିସ୍ତାର କରିବ
ଭାରତରେ ଫୁଟବଲ ଖେଳ ଲାଗି ସମସ୍ତ ଆନୁଷଙ୍ଗିକ ସୁବିଧା ରହିଛି। ଖେଳାଳିଙ୍କ ନିକଟରେ ପ୍ରତିଭା ରହିଛି, କିନ୍ତୁ ଏହି ଦେଶ ବିଶ୍ୱସ୍ତରରେ ଭଲ ଖେଳ ପ୍ରଦର୍ଶନ କରିପାରୁ ନାହିଁ। ଏହାର କାରଣ କ’ଣ? ଏପରି ଏକ ପ୍ରଶ୍ନକୁ ଗୁରୁତ୍ୱର ସହ ଗ୍ରହଣ କରି ଗୋମ୍ବାଉ କହନ୍ତି, ଗତ କିଛିବର୍ଷ ମଧ୍ୟରେ ଭାରତରେ ଫୁଟବଲ ଖେଳରେ ଅନେକ ସୁବିଧା ସୁଯୋଗ ସୃଷ୍ଟି ହୋଇଛି। ଏହି ଦେଶରେ ପୂର୍ବରୁ ଅନେକ ଖ୍ୟାତନାମା କ୍ଲବ ମୋହନ ବାଗାନ ଏବଂ ଇଷ୍ଟ ବେଙ୍ଗଲ ପ୍ରାଧାନ୍ୟ ବିସ୍ତାର କରିଥିଲା। ଭାରତ ମଧ୍ୟ ବିଶ୍ୱସ୍ତରରେ ଏକ ଶ୍ରେଷ୍ଠ ଦଳ ଭାବେ ତିଷ୍ଠି ରହିଥିଲା। କିନ୍ତୁ ପର୍ଯ୍ୟାୟକ୍ରମେ ଏହାର ଲୋକପ୍ରିୟତା କମିଯାଇଥିଲା। ଏବେ କିନ୍ତୁ ସେଥିରେ ପରିବର୍ତ୍ତନ ଆସିଛି। ଫୁଟବଲକୁ ସରକାର ଏବଂ କର୍ପୋରେଟ ହାଉସଗୁଡିକ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଯାହାଫଳରେ ଭାରତ ଏବେ କାତାର ପରି ଦଳ ସହ ମ୍ୟାଚ ଡ୍ର ରଖିବାରେ ସମର୍ଥ ହୋଇଛି। ଭାରତ ଏକ ବଡ ଦେଶ। ଏହାର ବିଭିନ୍ନ କୋଣ ଅନୁକୋଣରେ ପ୍ରତିଭାବାନ ଖେଳାଳି ରହିଛନ୍ତି। ସେମାନଙ୍କୁ ଚିହ୍ନଟ କରି ଦକ୍ଷ କରାଇବାର ସମୟ ଆସିଛି। କିନ୍ତୁ ୟୁରୋପ ଏବଂ ଆମେରିକା ମହାଦେଶ ପରି ଏଠାରେ ଦକ୍ଷତା ବିକାଶ କରିବା ଲାଗି ସୁଯୋଗ ନାହିଁ। ଏବେ ଏହି ପ୍ରତିବନ୍ଧକ ଦୂର ହେବାରେ ଲାଗିଛି। ଇଣ୍ଡିଆନ ସୁପର ଲିଗ ଫୁଟବଲରେ ବିଦେଶୀ ଖେଳାଳିମାନଙ୍କ ଆଗମନ ଫଳରେ ଭାରତୀୟ ଫୁଟବଲର ମାନରେ ବୃଦ୍ଧି ହୋଇଛି। ଖେଳାଳିମାନେ ମଧ୍ୟ ଉପଯୁକ୍ତ ପ୍ରଶିକ୍ଷଣ ପାଇ ଦକ୍ଷ ହେବାରେ ଲାଗିଛନ୍ତି। ଏହି ଧାରା ବଜାୟ ରହିଲେ ଆସନ୍ତା ଅଳ୍ପଦିନ ମଧ୍ୟରେ ଭାରତ ବିଶ୍ୱ ଫୁଟବଲରେ ଏକ ଶକ୍ତିଭାବେ ଦେଖାଦେବ ବୋଲି ଗୋମ୍ବାଉ କହିଛନ୍ତି।

ଫୁଟବଲର ଭାଷା ଏକ
ବିଭିନ୍ନ ଦେଶରେ ପ୍ରଶିକ୍ଷଣ ଦେଉଥିଲାବେଳେ ଭାଷା ପ୍ରତବନ୍ଧକ ସାଜିଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଗୋମ୍ବାଉ କହନ୍ତି, ଫୁଟବଲ ହେଉଛି ବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ। ଏହା ଯେଉଁ ଦେଶରେ କିମ୍ବା ଯେଉଁ ଭାଷା ଅଞ୍ଚଳରେ ଖେଳାଗଲେ ମଧ୍ୟ ଏହାର ନିୟମ ସମାନ। ମୁଁ ଜଣେ ସ୍ପେନର ନାଗରିକ। କିନ୍ତୁ ହଂକଂ, ଅଷ୍ଟ୍ରେଲିଆ ଏବଂ କାତାରରେ ପ୍ରଶିକ୍ଷଣ ଦେଇସାରିଛି। ଏବେ ଭାରତରେ ରହିଛି। ଭାଷାକୁ ନେଇ ପ୍ରଶିକ୍ଷଣରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇନାହିଁ। ମୋ ମତରେ ବିଶ୍ୱରେ ଫୁଟବଲର ଭାଷା ଏକ। ଏହାକୁ ସମସ୍ତେ ସହଜରେ ବୁଝିପାରନ୍ତି ବୋଲି ଗୋମ୍ବାଉ କହିଥିଲେ।