ଇ-ଠକେଇ ରୋକିବ ଅନଲାଇନ୍‍ କମ୍ପାନୀ

ବେଙ୍ଗାଲୁରୁ: ଅନଲାଇନରେ ସାଇବର୍‍ ଠକେଇ ଦିନକୁ ଦିନ ବଢ଼ିଚାଲିଥିବାବେଳେ ଏହାକୁ ରୋକିବା ଲାଗି ୭ଟି ପ୍ରମୁଖ ଅନଲାଇନ କମ୍ପାନୀ ଏକଜୁଟ୍‍ ହୋଇଛନ୍ତି। ସାଇବର ଠକେଇ ଜରିଆରେ ଗ୍ରାହକମାନଙ୍କର ଆକାଉଣ୍ଟରୁ ଅର୍ଥ ଲୁଟ୍‍ ହେଉଥିବାବେଳେ ଉପରୋକ୍ତ କମ୍ପାନୀଗୁଡ଼ିକ ନିଜନିଜର ଗ୍ରାହକମାନଙ୍କୁ ଠକେଇରୁ ସୁରକ୍ଷା ପ୍ରଦାନ କରିବା ଲାଗି ଆଗେଇ ଆସିଛନ୍ତି।

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗେଇ ଆସିଥିବା କମ୍ପାନୀଗୁଡ଼ିକ ମଧ୍ୟରେ ମେକ୍‍ ମାଇଁ ଟ୍ରିପ୍‍ ସମୂହ ଏବଂ ଓୟୋ ହୋଟେଲ୍ସ ଆଣ୍ଡ୍‍ ହୋମ୍ସ ଭଳି ପ୍ରମୁଖ ଟ୍ରାଭେଲ୍‍ କମ୍ପାନୀ ସମେତ ମୋବାଇଲ୍‍ ପେମେଣ୍ଟ ଫାର୍ମ ପେଟିଏମ୍‍, ଅନ୍‍ଲାଇନ୍‍ ଖାଦ୍ୟ ଡେଲିଭରୀ କମ୍ପାନୀ ସ୍ୱିଗୀ ଓ ଜୋମାଟୋ ଏବଂ ଟ୍ୟାକ୍ସି ସେବା ଉପଲବ୍ଧକାରୀ ପ୍ରମୁଖ କମ୍ପାନୀ ଉବର ଆଦି ୭ଟି କମ୍ପାନୀ ସାମିଲ ଅଛନ୍ତି। ଏହି ପ୍ରସଙ୍ଗରେ ଏକ ସଂଯୁକ୍ତ ପ୍ରତିନିଧିତ୍ୱ ପ୍ରସ୍ତୁତ କରିବା ଲାଗି ଏହି କମ୍ପାନୀଗୁଡ଼ିକ ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସହିତ ସାକ୍ଷାତ କରିଥିଲେ। ଏଥିସହିତ ଅନଲାଇନ୍‍ ଠକେଇ ଉପରେ କିଭଳି ପ୍ରତିବନ୍ଧକ ଲାଗୁ କରିହେବ, ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଏହାବ୍ୟତୀତ କମ୍ପାନୀଗୁଡ଼ିକ ତରଫରୁ ପ୍ରାୟ ୪,୦୦୦ଟି ସିମ୍‍ କାର୍ଡ ଏବଂ ୩୫୦ରୁ ୪୦୦ଟି ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆରବିଆଇ, ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ (ଏସବିଆଇ) ଏବଂ ଦୂରସଞ୍ଚାର କମ୍ପାନୀଗୁଡ଼ିକୁ ଦିଆଯାଇଛି। ଏହି ସିମ୍‍ ଏବଂ ଆକାଉଣ୍ଟ ନମ୍ବର ଜରିଆରେ ଉପଭୋକ୍ତାମାନେ ବିଭିନ୍ନ ଆଳରେ ଠକାମିର ଶିକାର ହେଉଥିଲେ ବୋଲି ସନ୍ଦେହ କରାଯାଉଛି।