ୟୁକ୍ରେନ୍‌ ଉପରେ ବଡ଼ ବୟାନ ଦେଇ ଫସିଲେ ପୁତିନ! ଆମେରିକା-ବ୍ରିଟେନ୍‌ ସମେତ ଆକ୍ସନ ମୁଡରେ ଅନେକ ରାଷ୍ଟ୍ର

ନୂଆଦିଲ୍ଲୀ,ଏଜେନ୍ସି: ରୁଷିଆ ଓ ୟୁକେନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହାରି ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏକ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି। ଆମେରିକା ଓ ୟୁକେ ସମେତ ଏକାଧିକ ରାଷ୍ଟ୍ର ରୁଷିଆକୁ ଟାର୍ଗେଟ କରିବାକୁ ଯାଉଛନ୍ତି।

ପୁତିନଙ୍କ ବୟାନ ପରେ ୟୁକ୍ରେନର ରାଷ୍ଟ୍ରପତି ୱଲୋଡିମିର ଜେଲେନ୍‌ସ୍କି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବିଦ୍ରୋହୀଙ୍କୁ ମାନ୍ୟତା ଦେବା ନେଇ ରୁଷିଆର ନିଷ୍ପତ୍ତିକୁ କୌଣସି ପ୍ରକାରରେ ଭୟ କରୁ ନାହାନ୍ତି। ସେ ଆଶା କରୁଛନ୍ତି ଯେ, ୟୁକ୍ରେନ୍‌ର ସରକାରଙ୍କୁ ପାଶ୍ଚାତ୍ୟ ଦେଶରେ ପୂର୍ଣ୍ଣ ସମର୍ଥନ ମିଳିବ।

ଏହାରି ଉପରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମଧ୍ୟ ଆଜି ବୈଠକ କରିବ। ୟୁକ୍ରେନ୍‌ ଉପରେ ହେବାକୁ ଥିବା ବୈଠକରେ ଭାରତ ମଧ୍ୟ ନିଜର ପକ୍ଷ ରଖିବ। ରୁଷିଆର ପଦକ୍ଷେପକୁ ୟୁରୋପୀୟ ସଂଘ, ନାଟୋ ସହିତ ଆମେରିକା ମଧ୍ୟ ତୀବ୍ର ନିନ୍ଦା କରିଛି।

ସୂଚନାଯୋଗ୍ୟ, ପୁତିନ କହିଥିଲେ ଯେ, ରୁଷିଆ, ପୂର୍ବ ୟୁକ୍ରେନ୍‌ର ୨ଟି ଭିନ୍ନ-ଭିନ୍ନ ଅଞ୍ଚଳକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବ। ନୂଆ ଘୋଷିତ ଦେଶକୁ ରୁଷିଆ ସେନା ପଠାଇବାକୁ ମଧ୍ୟ ଚିନ୍ତା କରିଛି।

ରୁଷିଆର ରାଷ୍ଟ୍ରପତି ଘୋଷଣା କରିଛନ୍ତି ଯେ, ଡୋନେସ୍ତକ ପିପଲ୍ସ ରିପବ୍ଲିକ (ଡିପିଆର) ଓ ଲୁ୍ଙ୍ଗସ୍କ ପିପୁଲ୍ସ ରିପବ୍ଲିକ (ଏଲପିଆର)ର ମାନ୍ୟତା ଦ୍ବାରା ସମ୍ବନ୍ଧିତ କାର୍ଯ୍ୟକାରୀ ଆଦେଶ ଉପରେ ଦସ୍ତଖତ କରିଦେଇଛନ୍ତି। ପୁତିନଙ୍କ ହିସାବରେ ଡିପିଆରର ପ୍ରମୁଖ ଡେନିସ ପୁଶିଲିନ ଏବଂ ଏଲପିଆରର ପ୍ରମୁଖ ଲି‌ୟୋନିଦ ପାସଚନିକଙ୍କ ସହିତ ଦସ୍ତଖକ କରିଛନ୍ତି। ରୁଷିଆ ଓ ଡିପିଆର, ଏଲପିଆର ମଧ୍ୟରେ ସଂନ୍ଧି ମୈତ୍ରୀ, ସହଯୋଗ ଓ ପାରସ୍ପରିକ ସହାୟତାକୁ ନେଇ ପ୍ରସ୍ତୁତ ହୋଇଛି।