ହାଇଦ୍ରାବାଦ,ଏଜେନ୍ସି: ମାତୃଭାଷା ଆମ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଭାଷା କେବଳ ଭାବର ଆଦାନ ପ୍ରଦାନ ନୁହେଁ, ଏହା ସମାଜର ବିକାଶ ସାଧନର ମାଧ୍ୟମ ଅଟେ। ସମାଜ ବିକାଶରେ ଭାଷାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଭାଷା ଶିକ୍ଷା ଏବଂ ସମର୍ଥନକୁ ଉତ୍ସାହିତ କରିବା ପାଇଁ ସରକାର ଏବଂ ଅଣ-ସରକାରୀ ସଂଗଠନ ନୀତି ଘୋଷଣା କରିବାକୁ ଏହି ଦିନକୁ ପାଳନ କରିପାରନ୍ତି। ବହୁଭାଷୀ ଶିକ୍ଷାକୁ ଆଗକୁ ବଢାଇବା, ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଶିକ୍ଷାର ବିକାଶକୁ ସମର୍ଥନ କରିବା ପାଇଁ ବୈଷୟିକ ଶିକ୍ଷାର ଭୂମିକା ସମ୍ପର୍କରେ ସଚେତନ କରେଇବାର ଆବଶ୍ୟକତା ରହିଛି।
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କବିତା ଅନୁଯାୟୀ, ଉଚ୍ଚ ହେବା ପାଇଁ କର ଯେତେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା। ବହୁ ମନୋବିଜ୍ଞାନୀ ଓ ଶିକ୍ଷାବିଦ୍ ମାତୃଭାଷାର ଗୁରୁତ୍ବକୁ ଉପଲବ୍ଧି କରି ଏହା ପାଠପଢିବାର ମାଧ୍ୟମ ହେବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି। ଲୋକଙ୍କ ମନରୁ ମାତୃଭାଷା ପ୍ରତି କମି ଆସୁଥିବା ସମ୍ମାନ ତଥା ବ୍ୟବହାରକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ବିଶ୍ୱବ୍ୟାପୀ ପାଳନ ହୁଏ ମାତୃଭାଷା ଦିବସ।
ବାଂଲାଦେଶରେ ଫେବୃଆରୀ ୨୧ ହେଉଛି ଦେଶ ଇତିହାସରେ ଏକ ପ୍ରମୁଖ ଦିନ। ନିଜ ପାଇଁ କିମ୍ବା ମହିଳା ସମ୍ପର୍କୀୟଙ୍କ ପାଇଁ ଗିଫ୍ଟ କିଣନ୍ତି, ଏକ ଭୋଜିଭାତର ଆୟୋଜନ କରନ୍ତି, ଏହାସହ ସାହିତ୍ୟ ପ୍ରତିଯୋଗିତା ମଧ୍ୟ କରନ୍ତି। ବାଂଲାଦେଶର ସଂସ୍କୃତି ଏବଂ ବଙ୍ଗଳା ଭାଷା ପାଳନ କରିବାର ଏହା ଏକ ସମୟ। ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ଗଠନ ହେବାପରେ ଆଜି ମଧ୍ୟ ଓଡିଆ ଭାଷାକୁ ସେତିକି ଗୁରୁତ୍ବ ଦିଆଯାଇନାହିଁ।
ଅନ୍ତର୍ଜାତୀୟ ମାତୃଭାଷା ଦିବସର ଇତିହାସ –
୧୯୪୭ରେ ଭାରତ ବିଭାଜନ ପରେ ପାକିସ୍ତାନର ସୃଷ୍ଟି ହୋଇଥିଲା । ଏପଟେ ପଶ୍ଚିମ ପାକିସ୍ତାନ ଓ ସେପଟେ ପୂର୍ବ ପାକିସ୍ତାନ ଏଭଳି ଦୁଇ ଭାଗରେ ଗୋଟିଏ ଦେଶ ବିଭକ୍ତ ହୋଇଥିଲା। ତେବେ ପୂର୍ବ ଏବଂ ପଶ୍ଚିମ ପାକିସ୍ତାନ ମଧ୍ୟରେ ଅର୍ଥନୈତିକ, ସାଂସ୍କୃତିକ ଏବଂ ଭାଷାଭିତ୍ତିକ କନ୍ଦଳ ଦେଖାଦେଇଥିଲା। ୧୯୪୮ ଫେବ୍ରୁଆରି ୨୩ ତାରିଖରେ ଏହି ଉତ୍ତେଜନା ସ୍ପଷ୍ଟ ହୋଇଥିଲା । କିନ୍ତୁ ପାକିସ୍ତାନ ସରକାର ଏହି ଦାବି ପ୍ରତି ଆଦୌ ଧ୍ୟାନ ନ ଦେଇ ଦମନମୂଳକ ପନ୍ଥା ଗ୍ରହଣ କରିଥିଲେ ।
ପାକିସ୍ତାନ ସରକାରଙ୍କ ଘୋଷଣାନାମା ଅନୁଯାୟୀ ଉର୍ଦ୍ଦୁ ଏକମାତ୍ର ଜାତୀୟ ଭାଷା । ଏହା ପୂର୍ବ ପାକିସ୍ଥାନରେ ବଙ୍ଗାଳୀ ଭାଷାଭାଷୀ ସଂଖ୍ୟାଲଘୁଙ୍କ ମଧ୍ୟରେ ବିରୋଧ ପ୍ରଦର୍ଶନ କରିଥିଲେ । ସେହି କ୍ରମରେ ୧୯୫୨ ମସିହା ଫେବ୍ରୁଆରି ୨୧ ତାରିଖରେ ଢାକା ବିଶ୍ବବିଦ୍ୟାଳୟରେ ଏହି ବିରୋଧର ଆୟୋଜନ କରିଥିଲେ । ସେହି ଦିନ ପରେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳି ଚଳାଇ ୪ ଜଣ ଛାତ୍ରଙ୍କୁ ହତ୍ୟା କରିଥିଲା । ମାତୃଭାଷା ବ୍ୟବହାର କରିବାର ଅଧିକାର ପାଇଁ ସଂଗ୍ରାମରେ ଏହି ଛାତ୍ରଙ୍କର ମୃତ୍ୟୁ ବର୍ତ୍ତମାନ ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ସ୍ମରଣୀୟ । ଶେଷରେ ୧୯୭୧ରେ ପୂର୍ବ ପାକିସ୍ତାନ ସ୍ବାଧୀନ ହେଲା ଏବଂ ଏ ଦେଶର ନୂଆ ନାମ ହେଲା- ବାଂଲାଦେଶ ।
୧୯୯୯ ମସିହାରେ କାନାଡ଼ାରେ ରହୁଥିବା ବାଂଲାଦେଶୀ ବୁଦ୍ଧିଜୀବୀ ରଫିକୁଲ ଇସ୍ଲାମ ଜାତିସଂଘର ସେକ୍ରେଟାରି ଜେନେରାଲ୍ କୋଫି ଆନନ୍ଙ୍କୁ ଏକ ପତ୍ର ଲେଖି, ପୃଥିବୀର ବିଭିନ୍ନ ଦେଶର ମାତୃଭାଷାଗୁଡ଼ିକୁ ଧ୍ବଂସମୁଖରୁ ବଞ୍ଚାଇବା ନିମନ୍ତେ ପଦକ୍ଷେପ ଦାବି କରିଥିଲେ । ତାଙ୍କର ପ୍ରସ୍ତାବ ଅନୁସାରେ ଜାତିସଂଘର ସାଂସ୍କୃତିକ ଅନୁଷ୍ଠାନ ୟୁନେସ୍କୋ ୨୧ ଫେବ୍ରୁଆରିକୁ ମାତୃଭାଷା ଦିବସ ଭାବେ ସାରା ପୃଥିବୀରେ ପାଳନ ଲାଗି ନିଷ୍ପତ୍ତି ନେଇଥିଲା ।
ପୃଥିବୀରେ ପ୍ରାୟ ୬ହଜାର ୫୦୦ ପ୍ରକାର ଭାଷାଥିଲେ ମଧ୍ୟ ପ୍ରତି ଦୁଇ ସପ୍ତାହରେ ଗୋଟିଏ ଭାଷା ଲୋପ ପାଉଛି । ଚଳିତବର୍ଷ ମାତୃଭାଷା ଦିବସର ବିଷୟବସ୍ତୁ ରହିଛି । ବହୁଭାଷୀ ଶିକ୍ଷାରେ ବୈଶୟିକ କୌଶଳର ପ୍ରୟୋଗ ଆହ୍ବାନ ଓ ସୁଯୋଗ ।