କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଖରାପ ରାସ୍ତା ଯୋଗୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ତେଣୁ କୌଣସିପ୍ରକାରେ ରାସ୍ତାଘାଟ ସମସ୍ୟାକୁ ସୁଧାରିବା ନିମନ୍ତେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ୨୬ନଂ ଜାତାୟ ରାଜପଥର ବାରିଣୀପୁଟ-ବୋରିଗୁମ୍ମା ରାସ୍ତା ମରାମତି ୧୫ ଦିନ ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୁନ୍ଦୁଲି ହାଟପଦା, ରାଲେଗଡ଼ା ଓ କୋରାପୁଟ ସଦର ଥାନା ନିକଟରେ ଜାତୀୟ ରାଜପଥ ଉପରେ ଖାଲଖମା ସୃଷ୍ଟି ହୋଇଥିବାବେଳେ କାକିରିଗୁମ୍ମା-ଲକ୍ଷ୍ମୀପୁର ରାସ୍ତାର ମରାମତି କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା। ସେହିପରି କୋରାପୁଟରୁ ରାଣିଗଡ଼ ଦେଇ ବୋରିଗୁମ୍ମା ଯାଇଥିବା ରାସ୍ତାରେ ପୋଲ କାର୍ଯ୍ୟ ଅଧା ରହିଥିବାରୁ ଉଦବେଗ ପ୍ରକାଶ ପାଇବା ସହ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ସମୀକ୍ଷା ବୈଠକରେ ଜଳସେଚନ ଓ ଏନବିସିସିର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଉକ୍ତ ସମୀକ୍ଷା ବୈଠକରେ କୋରାପୁଟ ଏସପି ମୁକେଶ କୁମାର ଭାମୁ ,ଏଡିଏମ ଦେବେନ କୁମାର ପ୍ରଧାନ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ ଓ କୋରାପୁଟ ପିଡବ୍ଲୁଡି ଡିଭିଜନର ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଭାସ୍କର ସାମାନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।