ଜିଲ୍ଲାପାଳ କ୍ଷମତାଧାରୀ ସରପଞ୍ଚଙ୍କ ବେପରୁଆ ମନୋଭାବ, ଆଇସୋଲେସନ ସେଣ୍ଟର ବଦଳରେ ସ୍କୁଲ ଘରେ ରଖିଲେ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହର ଠାରୁ ଗ୍ରାମାଞ୍ଚଳ ଯାଏଁ ଜନସାଧାରଣଙ୍କ ସଚେତନ କରିବା ସହ କରୋନା ମହାମାରୀକୁ ରୋକିବା ପାଇଁ ପଞ୍ଚାୟତ ସ୍ତରରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିଲେ। ତେବେ ପଞ୍ଚାୟତ ସ୍ତରରେ କରୋନା ସଂକ୍ରମଣକୁ ରୋକିବା ପାଇଁ କାର୍ଯ୍ୟ କରିବାକୁ ସରକାରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର କେତେକ ସ୍ଥାନରେ ସରପଞ୍ଚମାନଙ୍କ ଅଜ୍ଞତା ଓ ବେପରୁଆ ମନୋଭାବ ଯୋଗୁଁ ସରକାର ଲକ୍ଷ ସ୍ଥଳୀରେ ପହଚିଂପାରୁ ନ ଥିବା ବେଳେ ପ୍ରବାସୀ ନାଗରିକ ହଟହଟ୍ଟା ଓ ଉପେକ୍ଷିତ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତିଲେଇବଣୀ ବ୍ଲକ କେନ୍ଦେଇଜୁରୀ ପଞ୍ଚାୟତ କାକୁଡିଆ ଗ୍ରାମରେ।

ସୂଚନା ଅନୁଯାୟୀ କାକୁଡିଆ ଗ୍ରାମର ଶିବ ଚରଣ ସିଂଙ୍କ ପୁଅ ରଙ୍ଗଲାଲ ସିଂ(୩୬) ପଶ୍ଚିମବଙ୍ଗ ରାଜ୍ୟରେ ଟ୍ରକ ଚାଳକ ଭାବେ କାର୍ଯ୍ୟକରୁଥିଲେ। ସେ ଗତ ୧ ତାରିଖ ସକାଳ ୧୦ଟା ସମୟରେ କାକୁଡିଆ ସ୍ଥିତ ନିଜ ଗ୍ରାମକୁ ପହଞ୍ଚିବା ପରେ ଗ୍ରାମବାସୀ ତାଙ୍କୁ ଏକାନ୍ତବାସରେ ରହିବା ପାଇଁ କହିବା ସହ ସରପଞ୍ଚ ମହେଶ୍ୱର କିସାନଙ୍କୁ ସୂଚନା ଦେଇଥିଲେ। ତେବେ ସରପଞ୍ଚ ଶ୍ରୀ କିସାନ ପଶ୍ଚିମବଙ୍ଗ ଫେରନ୍ତା ରଙ୍ଗଲାଲଙ୍କୁ ଠେଲକଗୁଡିଠାରେ ପଞ୍ଚାୟତ ପକ୍ଷରୁ ଖୋଲାଯାଇଥିବା ଆଇସୋଲେସନ ସେଣ୍ଟରରେ ନରଖି ତାଙ୍କୁ କାକୁଡିଆ ପ୍ରାଥମିକ ବିଦ୍ୟାଳୟରେ ରଖିଥିଲେ। ତେବେ ସେଠାରେ ତାଙ୍କୁ ଚଟାଣରେ ଶୋଇବା ପାଇଁ କୁହାଯାଇଥିବା ବେଳେ କ୍ୱାରେଣ୍ଟାଇନ ଗୃହର ସୁବିଧା ନଥିଲା। ପରେ ରଙ୍ଗଲାଲ ଗ୍ରାମ ଓ ନିଜ ପରିବାରର ହିତ ଦୃଷ୍ଟିରୁ ଉକ୍ତ ଶ୍ରେଣୀ କଠୋରୀରେ ସଙ୍ଗରୋଧ ଭାବେ ରହୁଥିଲେ ମଧ୍ୟ ବିଜୁଳି ବ୍ୟବସ୍ଥା ନ ଥିବା ଉକ୍ତ ବିଦ୍ୟାଳୟ ଶ୍ରେଣୀ କଠୋରୀରେ ରଙ୍ଗଲାଲ ବିପଦ ପୂର୍ଣ୍ଣ ଭାବେ ରାତ୍ରି ଯାପନ କରୁଛନ୍ତି।

ସେହିପରି ସଂଗରୋଧରେ ଥିବା ରଙ୍ଗଲାଲ ଙ୍କୁ ପରିବାର ଲୋକେ ନିଜ ଘରୁ ରନ୍ଧା ଖାଦ୍ୟ ଆଣିଖାଇବାକୁ ଦେଉଥିବା ବେଳେ ଜିଲ୍ଲାପାଳ କ୍ଷମତାଧାରୀ ସରପଞ୍ଚ କିନ୍ତୁ ଉକ୍ତ ବିଦ୍ୟାଳୟ ଶ୍ରେଣୀ କଠୋରୀ ଖୋଲାଇ ତାଙ୍କ ଦାଇତ୍ୱ ସାରିଦେଇଥିବା ଜଣାପଡ଼ିଛି। ବିଗତ ୧୦ ଦିନ ଧରି ରଙ୍ଗଲାଲ ନିଜ ପରିବାର ଗାଁ ଓ ପଞ୍ଚାୟତର ହିତ ଦୃଷ୍ଟିରୁ ସଙ୍ଗରୋଧ ରହି ପଡି ରହିଥିବା ବେଳେ ଆଜି ଯାଏଁ ତାଙ୍କର ସ୍ୱାବ ଟେଷ୍ଟ କରାଯାଇ ନାହିଁ। ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ମିଳିବା ପରେ ଘଟଣା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ। ସୂଚନା ପାଇ ସନ୍ଧ୍ୟାରେ ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତ କାକୁଡିଆ ଗ୍ରାମସ୍ଥିତ ଉକ୍ତ ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିବା ସହ ରଙ୍ଗଲାଲକୁ ଠେଲକଗୁଡି ସ୍ଥିତ ଆଇସୋଲେସନ ସେଣ୍ଟରକୁ ସ୍ଥାନାନ୍ତର ପାଇଁ ଚେଷ୍ଟା କରିଥିଲେ। ମାତ୍ର ରଙ୍ଗଲାଲ ପଞ୍ଚାୟତ ଆଇସୋଲେସନ ସେଣ୍ଟରରେ ସୁରତ ଫେରନ୍ତା ପ୍ରବାସୀ ଓଡିଆ ରହୁଥିବାରୁ ସେଠାକୁ ଯିବାକୁ ମନା କରି ସେହିଠାରେ ହିଁ ଆଉ କିଛି ଦିନ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେବେ ଆସନ୍ତା କାଲି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଆସି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାବ ନମୁନା ସଂଗ୍ରହ କରିବେ ବୋଲି ଶ୍ରୀ ଦଳପତ ପ୍ରକାଶ କରିଛନ୍ତି।