ମୁମ୍ବାଇ,ଏଜେନ୍ସି: ୨୦୧୭ରେ ଭାରତୀୟ ନୌସେନାରୁ ଅବସର ନେଇଥିବା ଯୁଦ୍ଧପୋତ ‘ଆଇଏନ୍ଏସ୍ ବିରାଟ’ ଶନିବାର ଶେଷଥର ପାଇଁ ଯାତ୍ରାରମ୍ଭ କରି ଗୁଜରାଟର ଅଲଙ୍ଗ ଅଭିମୁଖେ ଯାତ୍ରା କରିଛି। ଭାରତୀୟ ନୌସେନାକୁ ୩୦ ବର୍ଷ ସେବା ଯୋଗାଇଥିବା ଏହି ଯୁଦ୍ଧପୋତର ଯନ୍ତ୍ରାଂଶକୁ ବିକ୍ରି କରାଯିବ। ଶନିବାର ଏହି ବିଶାଳ ଯୁଦ୍ଧପୋତକୁ ଗେଟ୍ ୱେ ଅଫ୍ ଇଣ୍ଡିଆଠାରେ ନୌସେନା ପକ୍ଷରୁ ଅନ୍ତିମ ବିଦାୟ ଦିଆଯାଇଥିଲା। ସୂଚନାଯୋଗ୍ୟ, ୧୯୫୯ରେ ‘ଏଚ୍ଏମ୍ଏସ୍ ହରମେସ୍’ ନାମରେ ବ୍ରିଟେନ୍ ନୌସେନାରେ ସାମିଲ୍ ହୋଇଥିବା ଏହି ଯୁଦ୍ଧପୋତକୁ ଭାରତ ୧୯୮୭ରେ କିଣିଥିଲା। ପରେ ଏହାକୁ ଭାରତୀୟ ନୌସେନା ପକ୍ଷରୁ ‘ଆଇଏନ୍ଏସ୍ ବିରାଟ’ ନାମରେ ନାମକରଣ କରାଯାଇଥିଲା।