ଗଛପଡ଼ି ଆହତ ଛାତ୍ରୀଙ୍କ ମେଡିକାଲରେ ମୃତ୍ୟୁ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: କେନ୍ଦ୍ରାପଡାରେ ଗଛପଡି ଆହତ ହୋଇଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଆଖି ବୁଜିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଙ୍କ ପରିବାର ଓ ସମର୍ଥକ ମାନେ ବ୍ୟାଙ୍କ ସମ୍ମୁଖରେ ଶବରଖି ଧାରଣା ଦେବା ସହିତ ରାସ୍ତା ଅବରୋଧ କରିଥିଲେ।

ପ୍ରକାଶ ଥାଉକି, କେନ୍ଦ୍ରାପଡ଼ା ଟାଉନଥାନା ଅନ୍ତର୍ଗତ ତିନିମୁହାଣି ଓ ନୂଆବସଷ୍ଟାଣ୍ଡ୍ ମଧ୍ୟରେ ଥିବା ଅର୍ବାନ କୋଅପରେଟିଭ ବ୍ୟାଙ୍କ ପଛପଟରୁ ଏକ ଝାଉଁ ଗଛକୁ ରବିବାର କଟାଯାଉଥିଲା। ତେବେ ଏ ସଂପର୍କରେ ସର୍ବସାଧାରଣଙ୍କୁ କୌଣସି ସତର୍କ ସୂଚନା ଦିଆଯାଇନଥିଲା। ଗଛକଟା ସମୟରେ ଏହି ରାସ୍ତାଦେଇ ଭାରତୀ ବିଦ୍ୟାମନ୍ଦିରର ଛାତ୍ରୀ ଥିବା ଶିଶିର ବଳଙ୍କ ଝିଅ ଶଜଲ (୧୪) ଟ୍ୟୁସନରୁ ସାଇକେଲରେ ଘରକୁ ଫେରୁୁଥିଲେ। ଗଛଟି ତାଙ୍କ ମୁଣ୍ଡ ଉପରେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ସାଇକେଲଟି ଭାଙ୍ଗି ଯାଇଥିଲା। ଛାତ୍ରୀଜଣକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଗଛଟେକି ଉଦ୍ଧାର କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା।

ବ୍ୟାଙ୍କର ଦାୟିତ୍ୱହୀନତା ପାଇଁ ଏପରି ଅଘଟଣ ଘଟିଥିବା ନେଇ ଛାତ୍ରୀଙ୍କ ବାପା ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆହତ ଛାତ୍ରୀ ଶଜଲ ବଡ ମେଡିକାଲରେ ସୋମବାର ଆଖିବୁଜିଥିଲେ। ଏହିଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିିଲା ଓ ରାସ୍ତାରୋକ ହୋଇଥିଲା।

ଏହି ଘଟଣାକୁ ନେଇ ଅର୍ବାନ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଛାତ୍ରୀଙ୍କ ପରିବାର ମଧ୍ୟରେ ଆଲୋଚନା ହେବାପରେ କ୍ଷତିପୂରଣ ବାବଦକୁ ୧ଲକ୍ଷ ଟଙ୍କା ଓ ପରିବାରର ଜଣକୁ ଚାକିରି ଦେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।