ବଲାଙ୍ଗିର/ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଗଙ୍ଗାସାଗର ଗାଁ’ରେ ରବିବାର ବିଳମ୍ବିତ ରାତ୍ରିରେ ଏକ ଗୁଳିକାଣ୍ଡ ହୋଇଥିବା ବେଳେ ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେଠାରୁ ତାଙ୍କୁ ଘଟିଛି ଭିମସାର ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ପାଟଣାଗଡ଼ ଅଞ୍ଚଳର ନବୀନ ମେହେର ତାଙ୍କ ମା’ଙ୍କ ସହ ଗଙ୍ଗାସାଗରରେ ରହୁଥିଲେ।
ରବିବାର ରାତ୍ରିରେ ସେମାନେ ଶୋଇଥିବା ବେଳେ କେହି ଜଣେ ଆସି ତାଙ୍କୁ ଡାକିଥିଲା। ନବୀନ ଆସି କବାଟ ଖୋଲି ଦେଖିବାରୁ ଏକ କଳା ରଙ୍ଗର ମୁଖା ପିନ୍ଧା ଜଣେ ଯୁବକ ଘର ବାହାରେ ଛିଡ଼ା ହୋଇଥିଲେ। ସେ ନିଜକୁ ମାଓବାଦୀ ବୋଲି ପରିଚୟ ଦେବା ସହ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ କଟାକଟି ହୋଇଥିଲା। ଏହି ସମୟରେ ମୁଖାପିନ୍ଧା ଯୁବକ ଜଣଙ୍କ ନବୀନଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲା। ସେଠାରେ ଗୁଳି ନବୀନଙ୍କ ବାମ ହାତରେ ଲାଗିଥିବା ଜଣାଯାଇଛି।
ଏ ସମ୍ପର୍କରେ ଖବରପାଇ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବୀନଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନକୁ ପଠାଇଥିଲେ। ଏଥିସହ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲୁରହିଥିବା ପାଟଣାଗଡ଼ ଏସଡିପିଓ ସୂଚନା ଦେଇଛନ୍ତି। ଅପରପକ୍ଷରେ ନବୀନ ଅତୀତରେ ଅନେକ ପ୍ରକାର ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି। ତେବେ ଏହି କାରଣରୁ ଏଭଳି ଘଟଣା ଘଟିଥିା ଚର୍ଚ୍ଚା ହେଉଛି।