ପୁଣି ମୁମୂର୍ଷୁ ଅବସ୍ଥାରେ ନାବାଳିକା ଡାକ୍ତରଖାନାରେ ଭର୍ତ୍ତି : ଜଣକୁ କାବୁ କଲେ ଲୋକେ

ଭଦ୍ରକ,ଏନ୍ଏନ୍ଏସ୍: ଏହି ଜିଲାର ଧାମନଗର ଅର୍ଜୁନପୁର କୋଚିଳା ନଦୀପଠାରୁ ଜଣେ ନାବାଳିକା ମୂମୁର୍ଷ ଅବସ୍ଥାରେ ଉଦ୍ଧାର ହେବା ଓ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବାର ୪୮ ଘଣ୍ଟା ନପୁରୁଣୁ ସେହିଭଳି ଆଉ ଜଣେ ନାବାଳିକାକୁ ଅଚେତ୍ ଅବସ୍ଥାରେ ଉଦ୍ଧାର ହେବା ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ନାବାଳିକା ଜଣକୁ ଚେତାଶୂନ୍ୟ ଅବସ୍ଥାରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ୫ ଯୁବକ । ମାତ୍ର ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ସଂପୃକ୍ତ ଯୁବକମାନେ ଫେରାର ହୋଇଯାଉଥିବାବେଳେ ସ୍ଥାନୀୟ ସାମ୍ବାଦିକ ସୁଦୀପ୍ତ ଖଟୁଆ ଓ ବୀରେନ୍ଦ୍ର ଜେନା ସେମାନଙ୍କୁ ଧରି ଥାନାରେ ଜିମା ଦେଇଛନ୍ତି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସ୍ଥାନୀୟ ପୁଲିସ୍ ଏକ ବାଇକ୍କୁ ଜବତ କରି ସଂପୃକ୍ତ ଦୁଇଜଣ ଯୁବକଙ୍କୁ ଅଟକ ରଖିଛି ।

ଏଠାରେ ସୂଚନାଯୋଗ୍ୟ ଉଦ୍ଧାର ହୋଇଥିବା ନାବାଳିକା ଜଣକ ଧାମନଗର ବ୍ଲକ୍ ଚୁଡାକୁଟୀର ଦଇପୁର (ତାଳସିଠା) ଗ୍ରାମର ମଧୁସୂଦନ ମଳିକଙ୍କ କନ୍ୟା କାବେରୀ (୧୭) ଅଟନ୍ତି । ତେବେ ଧାମନଗର ଥାନା ପୁଲିସ୍ ଏହି ଘଟଣାର ତଦନ୍ତ କରୁଥିବାବେଳେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କେଉଁ ପରିସ୍ଥିତିରେ ତାକୁ ସଂପୃକ୍ତ ଯୁବକମାନେ ଡାକ୍ତରଖାନାକୁ ଆଣିଥିଲେ, ସେଥିନେଇ ପଚରା ଉଚୁରା ଜାରି ରଖିଛନ୍ତି ।