ହାତୀମାନଙ୍କ ଦଳାଚକଟାରେ ଛୁଆ ହାତୀର ମୃତ୍ୟୁ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲାର ବୀରମିତ୍ରପୁର ରେଞ୍ଜ୍‌ ହାତୀବାରିର ଧୁମାଗଡ଼ ଜଙ୍ଗଲ ନଦୀଟୋଲା ଠାରେ ଗୁରୁବାର ଭୋରରେ ଗୋଟାଏ ଛୁଆ ହାତୀର ମୃତ୍ୟୁ ଘଟିଛି। ମୃତ ହାତୀଛୁଆଟିକୁ ଘଟଣାସ୍ଥଳରେ ୪/୫ଟି ବଡ଼ ହାତୀ ଜଗିରହିଥିବା ସ୍ଥାନୀୟ ବସ୍ତି ବାସିନ୍ଦା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ଅନୁସାରେ ଗତକାଲି ରାତିରେ ଧୁମାଗଡ଼ ଜଙ୍ଗଲରେ ହାତୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସେହି ସମୟରେ ଉକ୍ତ ହାତୀଛୁଆଟି ସେମାନଙ୍କ ମଧ୍ୟକୁ ପଶିଯିବାରୁ ଦଳାଚକଟାରେ ତା’ର ମୃତ୍ୟୁ ଘଟିଥିବା କୁହାଯାଉଛି ବନବିଭାଗ ପକ୍ଷରୁ କୁହାଯାଉଛି।

ଖବରପାଇ ବୀରମିତ୍ରପୁର ରେଞ୍ଜ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଛୁଆକୁ ଜଗି ରହିଥିବା ହାତୀମାନଙ୍କୁ ଘଉଡ଼ାଇବାରୁ ସେମାନେ ସ୍ଥାନ ଛାଡ଼ି ଜଙ୍ଗଲ ମଧ୍ୟକୁ ଚାଲିଯାଇଛନ୍ତି। ଡିଏଫ୍‌ଓ ରାଜକିଶୋର ଦାସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଛୁଆର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।