ଇନ୍ଦୋରରେ ରାମ ମନ୍ଦିର ଛାତ ଧସିବାରୁ କୂଅରେ ଖସି ପଡ଼ିଲେ ୨୫

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋରରେ ରାମ ନବମୀ ଅବସରରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରର ଛାତ ଖସି ୨୫ରୁ ଅଧିକ ଲୋକ କୂଅରେ ଖସି ପଡ଼ିଛନ୍ତି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣା ସମ୍ବନ୍ଧରେ ପଚାରି ବୁଝିଛନ୍ତି । ଇନ୍ଦୋର ଜିଲ୍ଲାପାଳ ଓ କମିଶନରଙ୍କ ସହ ଫୋନ୍ ଯୋଗେ କଥା ହୋଇ ଉଦ୍ଧାର କାର୍ଯ୍ୟକୁ ତ୍ୱରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ସହ ଜଡ଼ିତ ତଥ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ସୂଚିତ କରିବାକୁ ଆଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଏକ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଶ୍ରୀ ଚୌହାନ କହିଛନ୍ତି ଯେ, ଭଗବାନଙ୍କ କୃପାରୁ ଆମେ ସମସ୍ତେ ଉଦ୍ଧାର କାର୍ଯ୍ୟରେ ଲାଗିଛୁ । ୧୦ ଜଣଙ୍କୁ ସୁରକ୍ଷିତ ଭାବେ କଢ଼ାଯାଇଛି । ୯ଜଣ ଭିତରେ ଥିବାରୁ ତାଙ୍କୁ ଉଦ୍ଧାର କରିବାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି ଦୁର୍ଭାଗ୍ୟପୂର୍ଣ୍ଣ ଖବର ଆସନାହିଁ ।