ଇଣ୍ଡୋନେସିଆରେ ହଠାତ୍ ଆସିଲା ବନ୍ୟା, ୪୪ ମୃତ

ଜାକର୍ତ୍ତା,ଏଜେନ୍ସି: ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ୱୀପରେ ରବିବାର ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ ମାଟିଅତଡା ଖସିବା ଫଳରେ ୪୪ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଏହାବ୍ୟତୀତ ୧୦ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଟିଅତଡା ତଳେ ଆଉ କେତେକ ପୋତି ହୋଇଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଉପୁଜିଛି। ରବିବାର ପବିତ୍ର ଇଷ୍ଟର ପର୍ବ ଉପଲକ୍ଷେ ଲୋକେ ପ୍ରସ୍ତୁତ ହେଉଥିବାବେଳେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସେଠାରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ୱେଷ୍ଟ ନୁସା ଟେଙ୍ଗାରା ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୨ ଜଣ ପ୍ରାଣ ହରାଇଥିବାବେଳେ ଚାରିଟି ନଦୀବନ୍ଧର ଜଳ ବିପଦ ସଙ୍କେତ ଅତିକ୍ରମ କରିଛି। ଫଳରେ ସେହି ଅଞ୍ଚଳରେ ଥିବା ପ୍ରାୟ ୧୦ ହଜାର ବାସଗୃହ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡିଛି।