ଇଣ୍ଡୋନେସିଆରେ ଭୟଙ୍କର ବନ୍ୟା : ୪୩ ମୃତ

ଜାକର୍ତ୍ତା, ଏଜେନ୍ସି : ପ୍ରବଳ ଝଡ଼ବର୍ଷା ପ୍ରକୋପରେ ଇଣ୍ଡୋନେସିଆରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଫଳରେ ସହସ୍ରାଧିକ ଘର ମାଟିରେ ମିଶିଯାଇଛି। ବନ୍ୟାରେ ଭାସିଯାଇ ଅନ୍ୟୂନ ୪୩ ଜଣ ପ୍ରାଣ ହରାଇଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଜାକର୍ତ୍ତା ଅଞ୍ଚଳର ବହୁ ଜିଲ୍ଲା ପାଣିରେ ଭାସୁଛି। ଘରଦ୍ୱାର ହରାଇ ବହୁ ପରିବାର ଖୋଲା ଆକାଶ ତଳେ ଜୀବନ ଯାପନ କରୁଛନ୍ତି। ବିଶ୍ୱବାସୀ ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରୁଥିବା ବେଳେ ଇଣ୍ଡୋନେସିଆର ଜାକର୍ତ୍ତାବାସୀ ବନ୍ୟା ଆଶଙ୍କାରେ ରାତି ବିତାଇଥିଲେ। ସହର ଭିତରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ଘର ଓ ଗାଡ଼ିଗୁଡ଼ିକ ବୁଡ଼ି ରହିଛି। ନୂଆବର୍ଷ ବନ୍ୟାରେ ପ୍ରାୟ ୩ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୪ ଲକ୍ଷ ଲୋକଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି।

ଜାଭା ଦ୍ୱୀପ ଅନ୍ତର୍ଗତ ଲେବାକ୍ ଓ ଗ୍ରେଟର ଜାକର୍ତ୍ତାରେ ପ୍ରାୟ ୪୩ ଜଣ ମରିଛନ୍ତି। ବନ୍ୟାପାଣି କମିବାର ନାଁ ଧରୁନି। ଫଳରେ ବହୁ ଜିଲ୍ଲାରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ଅଟକି ରହିଛି। ଜାକର୍ତ୍ତା ଉପକଣ୍ଠସ୍ଥିତ ବେକାସି ସହରରେ ସବୁଠାରୁ ଅଧିକ କ୍ଷତି ଘଟିଛି। ଅଧିକାଂଶ ସ୍ଥାନରେ କାରଗୁଡ଼ିକ ଉପରେ ଘରଗୁଡ଼ିକ ଭୁଶୁଡ଼ି ପଡ଼ିଛି। ବନ୍ୟାପାଣି ଦ୍ୱିତୀୟ ମହଲାକୁ ଛୁଇଁଛି। ଶୁକ୍ରବାର ବୋଟ୍ ଧରି ଉଦ୍ଧାରକାରୀ ଦଳ ୧୧ଟି ଜଳବନ୍ଦି ସ୍ଥାନରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କିଛି ଲୋକ ବନ୍ୟାରେ ଭାସି ଯାଇ ମରିଛନ୍ତି ତ କିଛି ଲୋକ ବିଦ୍ୟୁତ ସଂସ୍ପର୍ଶରେ ମରିଛନ୍ତି ବୋଲି ଜାତୀୟ ଉଦ୍ଧାରକାରୀ ସଂସ୍ଥା ମୁଖପାତ୍ର କହିଛନ୍ତି। ବିପନ୍ନଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବା କାମ ଚାଲିଛି। ପୋଷାକପତ୍ର, ଔଷଧ ଯୋଗାଣ ପାଇଁ ବନ୍ଦୋବସ୍ତ କରାଯାଉଛି।

ପ୍ରବଳ ବନ୍ୟା ଫଳରେ ରେଳଯାତ୍ରା, ବସ୍ସେବା ବାଧା ପାଇଛି। ଷ୍ଟେସନରେ ବହୁ ଲୋକ ଆଶ୍ର୍ରୟ ନେଇଛନ୍ତି। ପ୍ରତିବର୍ଷ ନଭେମ୍ବର ଶେଷଆଡ଼କୁ ଇଣ୍ଡୋନେସିଆରେ ବନ୍ୟା ଦେଖାଦେଇଥାଏ। ଚଳିତ ବନ୍ୟାରେ ସର୍ବାଧିକ କ୍ଷତି ଘଟିଥିବା କୁହାଯାଉଛି। ୨୦୧୩ ପରଠାରୁ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନଥିଲା। ବର୍ଷା ସାଙ୍ଗକୁ ସରକାରଙ୍କ ଅଧାପନ୍ତରିଆ ଭିତ୍ତିଭୂମି କାମ ଲୋକଙ୍କ ପାଇଁ ଦାଉ ସାଧିଛି। ପ୍ରତିକୂଳ ପାଗରେ ସଡ଼କ, ପୋଲ ନିର୍ମାଣ କାର୍ଯ୍ୟ ଜାରି ରଖିବା ସରକାରଙ୍କର ମସ୍ତବଡ଼ ଭୁଲ ବୋଲି ଅଧିକାଂଶ ସହରବାସୀ ଅଭିଯୋଗ କରିଛନ୍ତି। ଜାକର୍ତ୍ତା ଉପରେ ଅଧିକ ଚାପ ପଡୁଥିବାରୁ ରାଷ୍ଟ୍ରପତି ଜୋକୋ ୱିଡୋଡୋ ବୋର୍ଣ୍ଣିଓ ଦ୍ୱୀପକୁ ନୂତନ ରାଜଧାନୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଜାକର୍ତ୍ତା ଅଞ୍ଚଳଟି ଅତ୍ୟନ୍ତ ସନ୍ତସନ୍ତିଆ ଥିବାରୁ ଲୋକମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।