ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ରାଜଧାନୀର ଅଗଷ୍ଟ ୧୫ ତାରିଖରେ ୭୪ ତମ ସ୍ୱାଧୀନତା ଦିବସ ପାଳନ ସମୟରେ ଲାଲକିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଏଡାଇବାକୁ ଦିଲ୍ଲୀ ପୁଲିସ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରିଛି। ଏଥିନିମନ୍ତେ ଦିଲ୍ଲୀ ପୁଲିସକୁ ସହାୟତା କରିବେ ‘ଏନଏସଜି’, ‘ଏସପିଜି’ ଏବଂ ‘ଆଇଟିବିପି’ ଭଳି ଏଜେନ୍ସିମାନେ। ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଗୁରୁତ୍ୱପୂର୍ଣର୍ ସ୍ଥାନମାନଙ୍କରେ ‘ସ୍କ୍ୱାଟ’ ଟିମ୍ ଓ ‘ପରାକ୍ରମ ଭ୍ୟାନ’ ମୁତୟନ କରାଯାଇଛି।
ଅନେକ ସ୍ଥାନରେ ନିରାପତ୍ତା କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି ଏବଂ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ଫେସିଆଲ ରେକକନାଇଜେସନ୍ ସିଷ୍ଟମ ରଖାଯାଇଛି। କୋଭିଡ୍-୧୯ ମହାମାରୀ ସମୟରେ ପାଳନ ହେଉଥିବା ସ୍ୱାଧୀନତା ଦିବସରେ କରୋନା ଭାଇରସ୍ ସମ୍ବନ୍ଧୀୟ ଆବଶ୍ୟକ ସମସ୍ତ ମାର୍ଗଦର୍ଶିକା ମଧ୍ୟ ଲାଗୁ କରାଯିବ ବୋଲି ଦିଲ୍ଲୀ ପୁଲିସ କହିଛି। ଏହି ସମୟରେ ଜାତୀୟ ରାଜଧାନୀରେ ସର୍ବସାଧାରଣଙ୍କ ଯାନବାହନ ଅବାଧ ଓ ନିରାପଦରେ ଚଳାଚଳ ହେବା ନିମନ୍ତେ କାର୍ଯ୍ୟକାରୀ ମୁତୟନ ହେବା ସହ ସଙ୍କେତଫଳକ ଲଗାଯାଇଛି।
କେନ୍ଦ୍ରୀୟ ଦିଲ୍ଲୀର ପ୍ରମୁଖ ସ୍ଥାନମାନଙ୍କ ବ୍ୟତୀତ, ସମଗ୍ର ସହରରେ ହାଇ ସିକ୍ୟୁରିଟି ଲାଗୁ କରାଯାଇଛି। ସହରରେ ପ୍ରତିମୁହୂର୍ତ୍ତରେ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ଜିଲ୍ଲା ଡିସିପିମାନେ ଦୃଷ୍ଟି ରଖିଛନ୍ତି। ଲାଲକିଲ୍ଲାରେ ଆୟୋଜନ କରାଯାଉଥିବା ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ସଙ୍ଗୀତ ଗାୟନ ଓ ୨୧ଟି ତୋପ ସଲାମି ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ ହେବ। ସଶସ୍ତ୍ର ବାହିନୀ ଏବଂ ଦିଲ୍ଲୀ ପୁଲିସ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ ଓ ଶେଷକୁ ତ୍ରିରଙ୍ଗା ବେଲୁନ୍ ଛଡାଯିବ।