ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାରେ ପୁଣି ଦଲାଲଙ୍କ ଶୀକାର ହୋଇ ଜିଲ୍ଲାର ଆଦିବାସୀମାନେ ଶୋଷିତ ହୋଇଥିବା ଦେଖାଯାଇଛି। ନକଲି ଭାଗଚାଷୀ ଦର୍ଶାଇ ମଣ୍ଡିରେ ଧାନ ବିକ୍ରି କରିବା ଘଟଣା ଲୋକ ଲୋଚନକୁ ଆସିଲା ପରେ ଜଣେ ଲ୍ୟାମ୍ପର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ୨ ଦିନ ତଳେ ଗିରଫ ହୋଇଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟମାନେ ଫେରାର୍ ହୋଇଛନ୍ତି। ତେବେ ସଦର ବ୍ଲକ ଅନ୍ତର୍ଗତ ଚାଲାଣଗୁଡ଼ା ପଂଚାୟତରେ ଋଣ ନ ନେଇ ଟଙ୍କା ପରିଶୋଧ ପରିବାକୁ ନୋଟିସ ଆସିବା ପରେ ଚାଷୀଙ୍କ ମଧ୍ୟରେ ଚିନ୍ତାରେ ପଡ଼ିଛନ୍ତି।
ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ପଂଚାୟତ କୋଡେଲ୍ପାଲ୍ଲି , ପାହାଡଗୁଡା, ତାଳପଦର , ଟିଟିବିରି ,ଆଲୁର, ମାସାଗୁଡା ପ୍ରଭୃତି ଆଦିବାସୀ ଗ୍ରାମ ଗୁଡିକରେ ବାସ କରୁଥିବା ୧୦୦ ରୁ ଉର୍ଦ୍ଧ ଆଦିବାସୀଙ୍କ ପଟ୍ଟା ଓ ଆବଶ୍ୟକୀୟ କାଗଜପତ୍ର ବର୍ଷାରେ କ୍ଷୟକ୍ଷତି ହୋଇଥିବା ଫସଲ,ଘର ସହାୟତା ସରକାର ପ୍ରଦାନ କରୁଥିବା କହି ଦଲାଲମାନେ ସଂଗ୍ରହ କରିଥିଲେ। ଏଥିରେ ମୂଖ୍ୟତଃ ତଣ୍ଡାପାଲ୍ଲି ଗ୍ରାମର ଗଙ୍ଗା ମାଡକାମି ନାମକ ଜଣେ ବ୍ୟକ୍ତି ସେମାନଙ୍କର ପଟ୍ଟା ସଂଗ୍ରହ କରିବା ସହ କେତେକ କାଗଜ ପତ୍ରରେ ତାଙ୍କର ଦସ୍ତଖତ ଓ ଟିପ ଚିହ୍ନ ନେଇ ଆସିଥିଲେ ।
ଏହାପରେ ସେ କ୍ଷୟକ୍ଷତି ବାବଦରେ ଏହି ଚାଷୀଙ୍କୁ ୨ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ କିି ବ୍ୟକ୍ତିଙ୍କୁ ପ୍ରଦାନ କରିବା ପରେ ଟିଟିବିରି ସହ ଅନ୍ୟାନ୍ୟ ଗ୍ରାମର ଲୋକମାନେ ମଧ୍ୟ ସରକାରଙ୍କ ସାହାଯ୍ୟ ପାଇବା ପାଇଁ ସେମାନଙ୍କ ଜମି ପଟ୍ଟା ଏବଂ କାଗଜ ପତ୍ରରେ ଦସ୍ତଖତ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜମି ମାଲିକଙ୍କୁ ତଣ୍ଡାପାଲ୍ଲି ଗ୍ରାମର ଗଙ୍ଗା ମାଡକାମି ୨ ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ ତାଙ୍କର ପଟ୍ଟା ଫେରସ୍ତ କରିଥିଲେ। କିନ୍ତୁ ଏହାର ୫ ବର୍ଷ ପରେ ମାଲକାନଗିରି ୟୂନିୟନ ବ୍ୟାଙ୍କ ପକ୍ଷରୁ ସଂପୃକ୍ତ ବ୍ୟକ୍ତିମାନଙ୍କ ନାମରେ ତୁରନ୍ତ ଋଣ ଶୁଝିବା ପାଇଁ ନୋଟିସ ଆସିଥିଲା।
ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ନାମରେ ୩୦ ରୁ ୫୦ ହଜାର ଟଙ୍କା ଋଣ ନେଇଥିବା ସହ ତାହାର ସୁଧ ବାବଦରେ ବର୍ତମାନ ୮୦ ହଜାର ଟଙ୍କାରୁ ଉର୍ଦ୍ଧ ନୋଟିସ ଆସିଛି ବୋଲି ଟିଟିବିରି ଗ୍ରାମର ଗଙ୍ଗା ପଡିଆମି , ରାମ କାର୍ତାମି , ଇର୍ମା ପଡିଆମି , ଜଗା ମାଢି , ଦେବା ମାଢି , ପହାଡ ଗୁଡାର ସଞ୍ଜୟ ମାଢି , ଇର୍ମା କାରାମି , ପାହାଡଗୁଡା ଗ୍ରାମର ସୁଲା ମାଢି ଅଭିଯୋଗ କରିଛନ୍ତି। ଆଜି ଚାଲାଣଗୁଡା ସରପଂଚ ପୁଷ୍କାରାଣି ପଡିଆମି ଓ ପୂର୍ବତନ ସରପଂଚ ଇର୍ମା ପଡ଼ିଆମିଙ୍କ ନେତୃତ୍ୱରେ ଏହି ଚାଷୀମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଅଭିଯୋଗକାରିଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରସେନ ପ୍ରଧାନଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିବା ସରପଂଚ ଶ୍ରୀମତି ପଡିଆମି ପ୍ରକାଶ କରିଛନ୍ତି।