ଦ୍ୱିତୀୟ ଟି-୨୦: ୮ ୱିକେଟରେ ଜିତିଲା ଇଣ୍ଡିଜ୍

ତିରୁବନନ୍ତପୁରମ୍: ଚଳିତ ଭାରତ ବିପକ୍ଷ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଉତ୍ତମ ପ୍ରଦର୍ଶନ କରି ସିରିଜ୍ ବରାବର କରିଛି। ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇ ଇଣ୍ଡିଜ୍ ଭାରତୀୟ ଇନିଂସକୁ ୧୭୦/୭ରେ ସୀମିତ ରଖିଥିଲା ଓ ପରେ ୧୭୧ ରନ୍ର ଟାର୍ଗେଟକୁ ଦେଢ଼ ଓଭର୍ ଓ ୮ଟି ୱିକେଟ୍ ବାକି ଥିବା ବେଳେ ହାସଲ କରି ସିରିଜ୍ ପ୍ରତ୍ୟାବର୍ତ୍ତନ କରିଛି। ଅନ୍ୟପକ୍ଷରେ ପ୍ରଥମ ଟି-୨୦ରେ ଏକତରଫା ବିଜୟ ହାସଲ କରିଥିବା ଭାରତ ତା’ର ବିଜୟ ଧାରା ବଜାୟ ରଖିବାରେ ବିଫଳ ହୋଇଛି।

ଫଳସ୍ୱରୂପ ଆସନ୍ତା ୧୧ ତାରିଖରେ ମୁମ୍ବାଇଠାରେ ଖେଳାଯିବାକୁ ଥିବା ସିରିଜର ତୃତୀୟ ମ୍ୟାଚଟି ନିର୍ଣ୍ଣାୟକ ହୋଇଛି। ଇଣ୍ଡିଜ୍ ଓପନର ଲେଣ୍ଡଲ୍ ସିମନ୍ସ ଚମତ୍କାର ଇନିଂସ ଖେଳି ମାତ୍ର ୪୫ ବଲରେ ୪ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୬୭ ରନ୍ କରି ଦଳକୁ ବିଜୟୀ କରାଇଥିବାରୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତର ଯୁବ ଅଲ୍ରାଉଣ୍ଡର୍ ଶିବମ୍ ଦୁବେ ମାତ୍ର ୩୦ ବଲରେ ୫୪ ରନ୍ କରିଥିଲେ ହେଁ ତାହା ଶେଷରେ ବ୍ୟର୍ଥ ହୋଇଛି।