ପୁରୁଷ ‘ଫ୍ରିଷ୍ଟାଇଲ୍‌ କୁସ୍ତି’ରେ ସେମି-ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହେଲେ ଭାରତର ଦୀପକ ପୁନିଆ ଓ ରବି କୁମାର

ଟୋକିଓ,ଏଜେନ୍ସି: ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ କୁସ୍ତି ଖେଳାଳି ଭାରତର ଦୀପକ ପୁନିଆ ଜାପାନର ଟୋକିଓ ସ୍ଥିତ ଅଲିମ୍ପିକରେ ଆୟୋଜିତ ପୁରୁଷମାନଙ୍କ ୮୬ କିଲୋଗ୍ରାମ୍ ‘ଫ୍ରିଷ୍ଟାଇଲ୍‌ କୁସ୍ତି ପ୍ରତିଯୋଗିତା’ରେ ଚୀନ୍‌ର ଜୁସେନ୍ ଲିନ୍‌ଙ୍କୁ ୬-୩ରେ ପରାସ୍ତ କରି ସେମି-ଫାଇନାଲକୁ ପ୍ରବେଶ କରିଛନ୍ତି। ତାଙ୍କ ସହିତ ପୁରୁଷ ୫୭ କେଜି ‘ଫ୍ରିଷ୍ଟାଇଲ୍‌ କୁସ୍ତି ପ୍ରତିଯୋଗିତା’ରେ ଏସିଆନ୍‌ ଚାମ୍ପିଅନସିପ ସ୍ୱର୍ଣ୍ଣପଦକ ବିଜେତା ଭାରତର ରବି କୁମାର ଦହିୟା ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଆଜି ଦୀପକ ପୁନିଆ ଏହି କ୍ରୀଡ଼ାର ପ୍ରଥମ ରାଉଣ୍ଡରୁ ୪-୧ରେ ଅଗ୍ରଣୀ ରହି କ୍ୱାର୍ଟର୍‌-ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ। ପୁନିଆଙ୍କୁ ଦ୍ୱିତୀୟ ରାଉଣ୍ଡରେ ୮ ପଏଣ୍ଟ୍‌ ମଳିଥିଲା। ‘୧୬ ବାଉଟ୍‌ ରାଉଣ୍ଡ୍‌’ର ଏହି ପ୍ରତିଯୋଗିତାରେ ସେ ନାଇଜେରିଆର ଏକେରେକେମେ ଆଗିଓମୋର୍‌ଙ୍କୁ ୧୨-୧ରେ ପରାସ୍ତ କରିଥିଲେ।

ଏହାଛଡ଼ା, ବିଶ୍ବର ୪ର୍ଥ ସ୍ଥାନରେ ଥିବା ରବି କୁମାର ‘୧୬ ବାଉଟ୍‌ ରାଉଣ୍ଡ୍‌’ବିଶିଷ୍ଟ ଏହି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦୀ କଲମ୍ବିଆର ଅସ୍କାର୍‌ ଟାଇଗରଗୋଜଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ରାଉଣ୍ଡରେ ମାନ୍ଦା ଖେଳ ପ୍ରଦର୍ଶନ କରି ସୁଦ୍ଧା ରବି କୁମାର ୩-୨ରେ ଅଗ୍ରଣୀ ରହିଥିଲେ। ଦ୍ୱିତୀୟ ରାଉଣ୍ଡରେ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରି ଟାଇଗରଗୋଜଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବା ସହ ବିନା କୌଣସି ପ୍ରତିବନ୍ଧକରେ ୮ ପଏଣ୍ଟ୍ ଲାଭ କରିଥିଲେ। ଏଥିସହିତ ଉଭୟ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।