ଭାରତ-ପାକ୍ ସୀମାନ୍ତରୁ ୨୫ କୋଟିର ହେରୋଇନ୍ ଜବତ

ଫିରୋଜପୁର, ଏଜେନ୍ସି : ପଞ୍ଜାବର ଫିରୋଜପୁର ସେକ୍ଟରରେ ଭାରତ-ପାକ୍ ସୀମା ନିକଟରୁ ପ୍ରାୟ ୫ କିଲୋ ୧୨୫ ଗ୍ରାମ ସନ୍ଦିଗ୍ଧ ହେରୋଇନକୁ ସୀମା ସୁରକ୍ଷା ବଳ (ବିଏସଏଫ) ଜବତ କରିଛି। ଶନିବାର ସକାଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀ ଡକାଇ ବିଏସଏଫ ଅଧିକାରୀ ଏ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ପ୍ରାୟ ୫ଟି ପ୍ୟାକେଟରେ ବେଆଇନ ନିଶାସାମଗ୍ରୀକୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାର ବିଏସଏଫ ଯବାନମାନେ ଦେଖିବାକୁ ପାଇଥିଲେ। ଜବତ ନିଶାଦ୍ରବ୍ୟର ଆନ୍ତର୍ଜାତିକ ବଜାର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ। ଶୁକ୍ରବାର ରାତିରେ ଭାରତ-ପାକ୍ ସୀମା ନିକଟରେ କିଛି ଲୋକ ଚଳପ୍ରଚଳ କରୁଥିବାର ସନ୍ଦେହ କରାଯାଉଥିଲା। ସର୍ଚ୍ଚ ଅପରେସନ୍ କରିବାରୁ ନିଶା ସାମଗ୍ରୀ ମିଳିଥିଲା। ଘନ ଅନ୍ଧକାର ସୁଯୋଗ ପାଇ ସନ୍ଦିଗ୍ଧ ଅପରାଧୀମାନେ ପଳାୟନ କରିଥିଲେ।