ଭାରତୀୟଙ୍କୁ ଚୀନ, ଇରାନ୍, କୋରିଆ, ସିଙ୍ଗାପୁର ଓ ଇଟାଲୀ ଗସ୍ତ ମନା

ନୂଆଦିଲ୍ଲୀ,ଏଜେନ୍ସି : ଦିଲ୍ଲୀ ଓ ତେଲେଙ୍ଗାନାରୁ ଦୁଇ ଜଣ କରୋନା ଭୂତାଣୁ ପୀଡ଼ିତଙ୍କୁ ଚିହ୍ନଟ କରାଯିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଚୀନ୍, ଇରାନ୍, କୋରିଆ, ସିଙ୍ଗାପୁର ଓ ଇଟାଲୀ ଅଭିମୁଖେ ଯାତ୍ରା ନ କରିବା ପାଇଁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ଦେଶର ୨୧ ଆନ୍ତର୍ଜାତିକ ବିମାନ ବନ୍ଦର, ୧୨ ବନ୍ଦର ଓ ୬୫ ଛୋଟ ବନ୍ଦରରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଅଦ୍ୟାବଧି ଭାରତର ବିଭିନ୍ନ ବିମାନ ବନ୍ଦରରେ ପ୍ରାୟ ୫ ଲକ୍ଷ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସେହିପରି ଛୋଟବଡ଼ ବନ୍ଦରଗୁଡ଼ିକରେ ୧୨,୪୩୧ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି।

ଏବେସୁଦ୍ଧା ୨୩ ଜଣ କରୋନା ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ ପରେ ପରୀକ୍ଷଣ ପାଇଁ ଲ୍ୟାବକୁ ପଠାଯାଇଛି। ପୂର୍ବାପେକ୍ଷା କରୋନା ଭୂତାଣୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଲୋକମାନେ ଆହୁରି କିଛିଦିନ ପାଇଁ ବିଦେଶ ଗସ୍ତଠାରୁ ଦୂରେଇ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପ୍ରଦତ୍ତ ସୂଚନାନୁସାରେ ଦିଲ୍ଲୀରେ ଚିହ୍ନଟ କରାଯାଇଥିବା କରୋନା ପୀଡ଼ିତ ଇଟାଲୀରୁ ଭାରତକୁ ଫେରିଥିଲେ। ଦୁବାଇରୁ ତେଲେଙ୍ଗାନାକୁ ଫେରିଥିବା ଜନୈକ ବ୍ୟକ୍ତିଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଥିବା ଜଣାପଡ଼ିଥିଲା।

ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଡାକ୍ତରୀ ଟିମ ତୀକ୍ଷ୍ଣ ନଜର ରଖିଛନ୍ତି। ହାଇଦ୍ରାବାଦରେ ଜଣେ କରୋନା ପୀଡ଼ିତଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୮୦ ଜଣ ଲୋକଙ୍କୁ ସ୍ୱତନ୍ତ୍ର ଭାବେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସୋମବାର ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ଇତେଲା ରାଜେନ୍ଦର କହିଛନ୍ତି। ପୀଡ଼ିତ ବ୍ୟକ୍ତି ଫେବୃଆରୀ ୨୨ରେ ହାଇଦ୍ରାବାଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ରାଜେନ୍ଦରଙ୍କ ସୂଚନାନୁସାରେ ୨୪ ବର୍ଷୀୟ ସଫ୍ଟୱେୟର ଇଞ୍ଜିନିୟରଙ୍କ ଘର ସିକନ୍ଦରାବାଦସ୍ଥିତ ମହେନ୍ଦ୍ର ହିଲ୍ରେ। ସେ ତାଙ୍କର ବେଙ୍ଗାଲୁରୁସ୍ଥିତ ଅଫିସରୁ ଦୁବାଇକୁ ଯାଇଥିଲେ।

ହାଇଦ୍ରାବାଦକୁ ଫେରିବା ପରେ ତାଙ୍କ ନିକଟରେ କରୋନା ଭୂତାଣୁ ଲକ୍ଷଣ ପ୍ରକାଶ ପାଇଥିଲା। ସମ୍ପୃକ୍ତ ଯୁବକ ପ୍ରଥମେ ସିକନ୍ଦରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଆଡ଼କୁ ଗତି କରୁଥିବାର ଜାଣିବା ପରେ ରବିବାର ହାଇଦ୍ରାବାଦସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କଠାରୁ ନମୁନା ସଂଗ୍ରହ କରି ପୁଣେ ପଠାଯାଇଥିଲା। ସୋମବାର ଅପରାହ୍ଣରେ ତାଙ୍କୁ କରୋନା ଭୁତାଣୁ ସଂକ୍ରମଣ କରିଥିବା ଜଣାପଡ଼ିଛି।