ରୋମାନିୟା ରାସ୍ତା ଦେଇ ଫେରିବେ ୟୁକ୍ରେନରେ ଫସି ରହିଥିବା ଭାରତୀୟ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନର ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଖୁସି ଖବର । ଭାରତ ସରକାର ଏମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ୨ଟି ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛି । ଏହି ୨ଟି ବିମାନ ଶନିବାର ରାତି ୨ଟାରେ ଉଡ଼ାଣ ଭରିବ । ଏହି ବିମାନ ରୋମାନିୟାର ରାଜଧାନୀ ବୁଖାରେସ୍ଟ ରାସ୍ତା ଦେଇ ଲୋକଙ୍କୁ ଏୟାରଲିଫ୍ଟ କରିବ ବୋଲି ସୂଚନା ମିଳିଛି ।

ବିଦେଶ ରାଜ୍ୟ ମନ୍ତ୍ରୀ ବୀ.ମୁରଲୀଧରନ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ନେଇ ତାଙ୍କ ପରିବାରବର୍ଗକୁ ଗୁରୁବାର ଆଶ୍ୱାସନା ଦେଇଥିଲେ । ଭାରତ ସରକାର ସେଠାରେ ଫସି ରହିଥିବା ପାଖାପାଖି ୧୮ ହଜାର ଲୋକଙ୍କୁ ଫେରାଇ ଆଣିବା ପାଇଁ ଯୁଦ୍ଧ ସ୍ତରରେ ପ୍ରସ୍ତୁତି ଜାରି ରଖିଛି ।